ନିର୍ମାଣାଧୀନ ରାସ୍ତାରେ ଅଘଟଣ, ଅଳ୍ପକେ ବର୍ତ୍ତିଲେ ନାବାଳକ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଅଧିନସ୍ଥ ଅନହରପୁର ରାଜସ୍ୱ ମୌଜାର ତେନ୍ତୁଳିପୋଖରୀ ଗ୍ରାମରେ ଘଟିଛି ଅଘଟଣ।ସୂଚନା ଅନୁଯାୟୀ ରାସ୍ତା ନିର୍ମାଣ ଚାଲିଛି,ହେଲେ ଯାତାୟାତ ପାଇଁ ନାହିଁ ସୁରକ୍ଷା ବ୍ୟବସ୍ଥା। ଅଘଟଣା ଫଳରେ ଅସୁସ୍ଥ ନାବାଳକଙ୍କୁ ମେଡିକାଲ ନେବା ବେଳେ ଘଟିଲା ଅଘଟଣ। ଗ୍ରାମର ପରୀକ୍ଷିତ ଜେନାଙ୍କ ୧୨ ବର୍ଷୀୟ ପୁଅ ଜନ୍ମଜୟ ଜେନା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ବୁଦ୍ଧିରାମ ଜେନାଙ୍କ ପୁଅ ଧନେଶ୍ୱର ଜେନା ତାଙ୍କୁ ତୁରନ୍ତ ଧାମନଗର ମେଡିକାଲକୁ ନେଇ ଯାଉଥିଲେ। ତେବେ ଗ୍ରାମର ମୁଖ୍ୟ ରାସ୍ତାରେ ବ୍ଲକ ପକ୍ଷରୁ ଅନୁମୋଦିତ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ଉପରେ ବାଲି ଓ ଚିପ୍ସ ପଡ଼ି ରହିଥିଲା। ଏଥିଯୋଗୁଁ ଭାରସାମ୍ୟ ହରାଇ ସେମାନେ ନିକଟସ୍ଥ ଜଳାଶୟରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ନାବାଳକଙ୍କୁ ଧାମନଗର ମେଡିକାଲ ପଠାଇଥିଲେ। ନିର୍ମାଣାଧୀନ ରାସ୍ତାରେ ସତର୍କ ସୂଚନା ଫଳକ ନାହିଁ।ବାରିକେଡ୍ କିମ୍ବା ବିକଳ୍ପ ଯାତାୟାତ ବ୍ୟବସ୍ଥା ନକରି ସମ୍ପୂର୍ଣ୍ଣ ରାସ୍ତାକୁ ଅବରୋଧ କରି କାର୍ଯ୍ୟ କରାଯାଉଥିବାରୁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଅଣଦେଖା କରି କେଉଁ ପରିସ୍ଥିତିରେ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।ସୂଚନାଯୋଗ୍ୟ, ‘ବିକଶିତ ଗାଁ,ବିକଶିତ ଓଡ଼ିଶା’ ଯୋଜନାରେ ୨୦୨୬-୨୭ ଆର୍ଥିକ ବର୍ଷରେ ତେନ୍ତୁଳିପୋଖରୀ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ୩ ହଜାର ୬୫୦ ଟଙ୍କା ଅନୁମୋଦନ ହୋଇଛି। ତେବେ ନିର୍ମାଣ କାର୍ଯ୍ୟର ମାନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି ଘଟଣାରେ ଚୈତନ୍ୟ ଜେନା, ଜୟନ୍ତୀ ଦଳେଇ, ବୁଦ୍ଧିରାମ ଜେନା, ସନାତନ ଦେହୁରୀ ଓ ଗୋଲାପୀ ଜେନାଙ୍କ ସମେତ ଗ୍ରାମବାସୀ ବ୍ଲକ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। ତେବେ ଏହି ଘଟଣାର ଫୋନ ମାଧ୍ୟମରେ ଅଭିଯୋଗ କ୍ରମେ ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ବ୍ଲକର କନିଷ୍ଠ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଯଥାଶୀଘ୍ର ସମସ୍ୟା ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ସ୍ଥାନୀୟ ସମିତି ସଭ୍ୟ ସୂଚନା ଦେଇଛନ୍ତି।


