ବିଭିନ୍ନ ଲକ୍ଷ୍ମୀପୂଜା ମଣ୍ଡପ ବୁଲିଲେ ବିଧାୟକ ଅଭିମନ୍ୟୁ ସେଠୀ
ହାଟଡିହି,(ଓ୍ବାଇଏନଏସ): ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ଏହି ଅବସରରେ ସେ ବିଭିନ୍ନ ପୂଜା ମଣ୍ଡପରେ ପହଞ୍ଚି ମା’ ଗଜଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏଥିସହ ପୂଜା ମଣ୍ଡପରେ ଉପସ୍ଥିତ ଶ୍ରଦ୍ଧାଳୁ, ପୂଜା କମିଟିର ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଭାବ ବିନିମୟ କରିଥିଲେ। ବିଧାୟକ ଶ୍ରୀ ସେଠୀ ମଙ୍ଗଳବାର ସନ୍ଧ୍ୟାରେ ତରତରା, ବଳଦୁଆଁ, ବିରିଡିଆ, ଛେନାପଦି ଓ ବାଳକାଟୀ ସମେତ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଆୟୋଜିତ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ। ପ୍ରତ୍ୟେକ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ଗଜଲକ୍ଷ୍ମୀ ପୂଜା ଓଡ଼ିଶାର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ପର୍ବ ହୋଇଥିବାରୁ ବିଭିନ୍ନ ଅଞ୍ଚଳରେ ଏହାକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଉଛି। ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ସମାଗମ ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ପରିଦର୍ଶନ ଅବସରରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ଜିତେନ୍ଦ୍ର ସାମଲ, ଆନନ୍ଦପୁର ବ୍ଲକ ସଭାପତି ରାମଚନ୍ଦ୍ର ପଲେଇ, ଯୁବନେତା ଦୀପ୍ତିରଞ୍ଜନ ଦାସ, ସୁବାସ ମହାପାତ୍ର, ଉଦୟନାଥ ସା’ ପ୍ରମୁଖ ଉପସ୍ଥିତ ଥିଲେ।


