ବିଭିନ୍ନ ଯୋଗ ଶିବିରରେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଯୋଗାଭ୍ୟାସ
ବାଲେଶ୍ବର(ସରୋଜ ପଣ୍ଡା): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରେମୁଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆୟୋଜିତ ଯୋଗ ଶିବିର ଗୁଡ଼ିକରେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ଯୋଗାଭ୍ୟାସ କରିଥିଲେ।
ରବିବାର ସକାଳ ୭ଟା ସମୟରେ ରେମୁଣା ବ୍ଲକ୍ ଅନ୍ତର୍ଗତ ଭୀମପୁରା ପଞ୍ଚାୟତ ପଡ଼ିଆରେ ବ୍ଲକ୍ ସ୍ତରୀୟ ଯୋଗ ଶିବିର ଆୟୋଜିତ ହୋଇଥିଲା। ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ସୁସ୍ଥତା ପାଇଁ ନୁହେଁ, ଏହା ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ବିକାଶର ମଧ୍ୟ ଏକ ପ୍ରମୁଖ ମାଧ୍ୟମ। ନିୟମିତ ଯୋଗାଭ୍ୟାସ ଦ୍ୱାରା ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି, ରେମୁଣା ବିଡିଓ ସାର୍ଥକ ସୌରଭ ମହାପାତ୍ର, ରେମୁଣା ବ୍ଲକ୍ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ, ଜିଲ୍ଲା ବିଜେପି ସମ୍ପାଦିକା ରବିତା ଦାସ, ପୂର୍ବତନ ରେମୁଣା ବ୍ଲକ୍ ଅଧ୍ୟକ୍ଷ ଗୋପୀନାଥ ସେନାପତି, ଜିଲ୍ଲା ବିଜେପି ଏସ୍.ସି. ମୋର୍ଚ୍ଚା ସାଧାରଣ ସମ୍ପାଦକ ଗଜେନ୍ଦ୍ର ସେଠୀ, କମଳା ବିନ୍ଧାଣୀ, କୃଷ୍ଣ ଚନ୍ଦ୍ର ସାହାଙ୍କ ସମେତ ବହୁ ଯୋଗପ୍ରେମୀ ଓ ଯୋଗାର୍ଥୀ ଯୋଗଦେଇ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରିଥିଲେ।
ଅନ୍ୟପକ୍ଷରେ ରେମୁଣା ଏନ୍.ଏ.ସି. ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ କମଲ ଲୋଚନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଅନ୍ୟ ଏକ ଯୋଗ ଶିବିରରେ ମଧ୍ୟ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ କାଉନ୍ସିଲର୍ ସିବୁନ ରୟଙ୍କ ସମେତ ଅନେକ ଜନପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଯୋଗ ଦିବସ ପାଳନ କରିଥିଲେ।


