ବୁଢାବଳଙ୍ଗ ନଦୀବନ୍ଧ ସୁରକ୍ଷା ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ
ବାଲେଶ୍ବର(ସରୋଜ ପଣ୍ଡା): ଲୋକଙ୍କ ଆବଶ୍ୟକତା ଓ ଦାବି ଅନୁଯାୟୀ ପୂର୍ବର ପ୍ରତିଶୃତିକୁ, ନିର୍ବାଚିତ ହେବାର ମାତ୍ର ବର୍ଷକ ମଧ୍ୟରେ ପୁରଣ କରି ଦେଖାଇଛନ୍ତି ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ । ବୁଢାବଳଙ୍ଗ ନଦୀ ଦ୍ୱାରା ବାଲେଶ୍ୱର ସହରର ନଦୀକୂଳିଆ ଅଂଚଳବାସୀଙ୍କ ପାଇଁ ସୃଷ୍ଟି ହୋଇଥିବା ବିପଦର ସ୍ଥାୟୀ ପ୍ରତିକାର ନିମନ୍ତେ ବିଧାୟକ ଶ୍ରୀ ଦତ୍ତଙ୍କ ଉଦ୍ୟମ ସଫଳତାର ରୂପ ନେବାକୁ ଯାଉଛି । ବିଶେଷ କରି ପୁରୁଣା ବାଲେଶ୍ୱର ଠାରୁ ପଞ୍ଜିବାଗ ପର୍ଯ୍ୟନ୍ତ ନଦୀ କୂଳରେ ଅତଡା ଖସି ଜନସାଧାରଣଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ପୁରୁଣା ବାଲେଶ୍ୱର, ଚକତେନ୍ତୁଳିପୁରା, ତେନ୍ତୁଳିପୁରା, ଘିସୁଆଁ, ଗବଗାଁ, ପଞ୍ଜିବାଗ ପ୍ରଭୃତି ଗ୍ରାମରେ ନଦୀବନ୍ଧର ସୁରକ୍ଷା ପାଇଁ ପଥର ପ୍ୟାଚିଂ ଓ ସ୍ଫର ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବିଧାୟକ ଶ୍ରୀ ଦତ୍ତ ଯୋଗଦେଇ ମୋଟ ୮କୋଟି ୪୧ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆସନ୍ତା ବର୍ଷ ଫେବୃଆରୀ ମାସ ସୁଦ୍ଧା ଏହି ପକଳ୍ପ କାର୍ଯ୍ୟ ସାରିବା ନେଇ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ସମ୍ପ୍ରତି ଲୋକଙ୍କ ସରକାର ଶାସନ ଭାର ନେଇଛି, ତେଣୁ ଲୋକଙ୍କ ପ୍ରତ୍ୟେକ ଆବଶ୍ୟକତାକୁ ପ୍ରାଥମିକତା ଦେଇ ପଦକ୍ଷେପ ଗ୍ରହଣ କରାଯାଉଥିବା ସାଂସଦ ଶ୍ରୀ ଷଡଙ୍ଗୀ ଏହି ଅବସରରେ କହିଥିଲେ । ବୁଢାବଳଙ୍ଗ ନଦୀ ଅବବାହିକାରେ ଥିବା ପୁରୁଣା ବାଲେଶ୍ୱର ଠାରୁ ପଞ୍ଜିବାଗ ପର୍ଯ୍ୟନ୍ତ ଛଅ ଖଣ୍ଡ ଗ୍ରାମର ଲୋକେ ନଦୀ ଅତଡା ଖସିବା ବିପଦ ମଧ୍ୟଦେଇ ଗତି କରୁଥିଲେ । ୨୦୧୬ ଠାରୁ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଘର ନଦୀ ଗର୍ଭରେ ଲୀନ ହେବାରେ ଲାଗିଥିଲା । ବନ୍ୟା ସମୟରେ ନଦୀ କୂଳ ଲଂଘିବା ଯୋଗୁଁ ଶହ ଶହ ଏକର ଜମିରେ ପାଣି ମାଡି ଯାଉଥିଲା । ନଦୀ ବନ୍ଧର ସୁରକ୍ଷା ପାଇଁ ଲୋକଙ୍କ ଦୀର୍ଘ ଦିନର ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସହ ବୁଢାବଳଙ୍ଗ ନଦୀବନ୍ଧର ସୁରକ୍ଷା ନିମିତ୍ତ ପଦକ୍ଷେପ ନେବାକୁ ଅନୁରୋଧ ପରେ ଏହି ପ୍ରକଳ୍ପ କାର୍ଯ୍ୟ ଏବେ ଆରମ୍ଭ ହେବାକୁ ଯାଉଛି ବୋଲି ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି । ଏହା ସହିତ ବାଲେଶ୍ୱରର ପରିଚୟ ବାବା ବାଣେଶ୍ୱରଙ୍କ ପୀଠର ଉନ୍ନତି ପ୍ରକଳ୍ପ ଅନ୍ତର୍ଗତ ୮ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଏକ ସ୍ୱାଗତ ତୋରଣ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେଉଥିବା ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ତେବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଉତ୍ତମ ମାନଦଣ୍ଡରେ ନିର୍ମାଣ କାର୍ଯ୍ୟ ସାରିବାକୁ ଉଭୟ ସାଂସଦ ଓ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଇ ପ୍ରକଳ୍ପ ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ ମୋଟ ୫ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ପୁରୁଣା ବାଲେଶ୍ୱର ଦୂର୍ଗା ମଣ୍ଡପର ମରାମତି ଓ ପୁନରୁଦ୍ଧାର ଓ ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଉଡାପଦା ଭାଗବତ ଗୋସେଇଁ ମଠର ମରାମତି ଓ ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । କାର୍ଯ୍ୟକ୍ରମଗୁଡିକରେ ବାଲେଶ୍ୱର ପୌର ପରିଷଦର ୧ନଂ ୱାର୍ଡ କାଉନସିଲର ସୁସ୍ମିତା ନାଥ ଉପସ୍ଥିତ ଥିଲେ । ପରେ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ସାଂସଦ ଶ୍ରୀ ଷଡଙ୍ଗୀ ଓ ବିଧାୟକ ଶ୍ରୀ ଦତ୍ତ ଯୋଗଦେଇ ପ୍ରକଳ୍ପଗୁଡିକର ଆବଶ୍ୟକତା, ଉପାଦେୟତା ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ନେତା ରବି ନାରାୟଣ ମାହାପାତ୍ର ଓ ଗୌରାଙ୍ଗ ଦାସ ଏଥିରେ ମଂଚସୀନ ଥିଲେ । ପରେ ସ୍ଥାନୀୟ ଅଂଚଳର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ମନ୍ମଥ ପାତ୍ର, କାର୍ତ୍ତିକ ନାଥ, ଅନନ୍ତ ନାୟକ, ସୀତାରାମ ନାଥ, ଦିଲ୍ଲୀପ ମାଝୀ, ଭରତ ନାୟକ, ରାମଚନ୍ଦ୍ର ମାଝୀ, ସୁକାନ୍ତ ଖଟୁଆ, ସାଦବ ଦାସ, ଗଜେନ୍ଦ୍ର ବେହେରା, ଦେବେନ୍ଦ୍ର ମାଝୀ, ମଧୁକର ନାଥ, ଧିରଜ ମହାନ୍ତି, ମିହିର ମାଝୀ, ବିଶ୍ୱଜିତ ଖଟୁଆ, ହରେନ ମାଝୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।