ବ୍ୟାଙ୍କ କଲୋନୀ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ
ଛତ୍ରପୁର, (ଓ୍ବାଇଏନଏସ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବ୍ୟାଙ୍କ କଲୋନୀ ଅଞ୍ଚଳ ପରିଦର୍ଶନ କରି ଜଳବନ୍ଦୀ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ସ୍ଥାନୀୟ ବାସିନ୍ଦାମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ। ବିଶେଷକରି ବ୍ୟାଙ୍କ କଲୋନୀରୁ ତାମ୍ପରାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନେଇ ଜମି ସମସ୍ୟା ଦୀର୍ଘଦିନ ଧରି ରହିଥିବା ଅଞ୍ଚଳବାସୀ କହିଥିଲେ। ପ୍ଲଟିଂ କରିଥିବା ଜମି ବ୍ୟବସାୟୀ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଜମି ହସ୍ତାନ୍ତର କରୁନଥିବାରୁ ରାସ୍ତା ନିର୍ମାଣ ହୋଇପାରୁନଥିବା ନେଇ ସେମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରିଦର୍ଶନ ସମୟରେ ଛତ୍ରପୁର ପୌରପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, ସ୍ଥାନୀୟ କାଉନସିଲର ପ୍ରୀତି ଛନ୍ଦା ସାମଲ, କାଉନସିଲର କେ. ରମେଶ, ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ବିଜେପି ଗଞ୍ଜାମ ଜିଲ୍ଲା ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବ ନେତା ବନୋଜ ନାହାକ, ବି. ଶଙ୍କର ରେଡ୍ଡୀ, କେ. ଚନ୍ଦ୍ରଶେଖର ରେଡ୍ଡୀ ଓ ଜି. ମନୋଜ ରେଡ୍ଡୀଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।


