ଧନେଇ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି, ବିପଦପୂର୍ଣ୍ଣ ଅବସ୍ଥାରେ ପୁରାତନ ବ୍ରିଜ୍

ପୋଲସରା (ଅନୀଲ କୁମାର ମହାରଣା): ଗତ ଚାରି ଦିନ ଧରି  ଲଗାଣ ବର୍ଷା ଜାରି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଭାବରଡ଼ା ପଞ୍ଚାୟତ ନିକଟରେ ଥିବା ଧନେଇ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବିପଦ ସଙ୍କେତ ଅବସ୍ଥାରେ ଧନେଇ ନଦୀର ପୁରାତନ ବ୍ରିଜ୍ ରହିଥିବା ଜଣାପଡ଼ିଛି। ପୋଲସରା ଓ ସିଂହାସନୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଧନେଇ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ସ୍ପିଲ୍ ବାଇ ଦେଇ ବହୁ ପରିମାଣରେ ଜଳ ନିଷ୍କାସନ ହେବା ଫଳରେ ଜଳ ସ୍ରୋତ ପ୍ରଖର ଥିବାରୁ ଜଳଭଣ୍ଡାର ନିକଟସ୍ଥ ରାସ୍ତା କଡ଼ ନିକଟରେ ଥିବା ପୁରାତନ ବ୍ରିଜର ଉଭୟ ପାର୍ଶ୍ୱ ମାଟି ଧୋଇ ହେବା ସହିତ ନଦୀ ହିଡର ପୋଲସରା ପାର୍ଶ୍ୱରେ ମାଟି ଅଧିକ ପରିମାଣରେ ଧୋଇ ହେବା ଯୋଗୁଁ ରାସ୍ତା ଓ ପୁରାତନ ବ୍ରିଜ ଦେଇ ଯାତାୟତ ବିପଦ ଦେଖାଦେଇଛି। ରାସ୍ତା ଦେଇ ଯାତାୟାତରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପୋଲସରା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ରାସ୍ତା ମରାମତି କାମ ଆରମ୍ଭ କରାଯାଇଛି। ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ରହି ରାସ୍ତାକୁ ସୁରକ୍ଷିତ ଭାବେ ମରାମତି କରିବା କାର୍ଯ୍ୟରେ ଲାଗିରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର, ତହସିଲଦାର ଦୀପ୍ତିମୟୀ ପାତ୍ର, ଥାନାଧିକାରୀ କୌଶିକ ମାଝୀ, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ ସମେତ ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତି ଥିଲେ। ଲଗାଣ ବର୍ଷା ଯୋଗୁଁ ଧନେଇ ଜଳ ଭଣ୍ଡାର ପ୍ରତି ପ୍ରଶାସନ ନଜର ରଖିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ