ବିଜେପି କାର୍ଯ୍ୟାଳୟରେ ନଗର ମଣ୍ଡଳର ମାସିକ ବୈଠକ
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ବିଜେପି କାର୍ଯ୍ୟାଳୟଠାରେ ଆଜି ବିଜେପି ନଗର ମଣ୍ଡଳ ପକ୍ଷରୁ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନଗର ମଣ୍ଡଳ ସଭାପତି ଶ୍ରୀ ଦିଲ୍ଲୀପ ଦଣ୍ଡପାଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା, ବୁଥ୍ ସ୍ତରୀୟ କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ଏବଂ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ ଓ ନବଘନ ଲୋକେଇ ଉପସ୍ଥିତ ଥିଲେ। ସେମାନେ ନିଜ ଅଭିଭାଷଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସହରର ସମସ୍ତ ୱାର୍ଡର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଘରେ ଘରେ ପହଞ୍ଚି ଲୋକଙ୍କୁ ଅବଗତ କରାଇବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ନଗର ମଣ୍ଡଳ ପ୍ରଭାରୀ ଭବାନୀ ଶଙ୍କର ମୁଖାର୍ଜୀ, ବିଧାୟକ ପ୍ରତିନିଧି ନିହାର ରାୟଙ୍କ ସମେତ ୭ଟି ମୋର୍ଚ୍ଚାର ସଭାପତି, ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ, ବୁଥ୍ ସଭାପତି, ନଗରରେ ଅବସ୍ଥାପିତ ଜିଲ୍ଲା ଓ ରାଜ୍ୟସ୍ତରୀୟ ପଦାଧିକାରୀ, ନଗର ମଣ୍ଡଳର ପଦାଧିକାରୀ ତଥା ବହୁ ବୁଥ୍ ସ୍ତରୀୟ କର୍ମୀ ଯୋଗଦେଇଥିଲେ।


