ଗଙ୍ଗା ଭଗିରଥ ପୂଜା କମିଟିର ସୁନା ମୁକୁଟରେ ଝଲସିଲେ ମା’

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ଐତିହ୍ୟ ସମ୍ପନ୍ନ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପ୍ରସିଦ୍ଧ ଗଙ୍ଗା-ଭଗୀରଥ ପୂଜା କମିଟି ପକ୍ଷରୁ ଏକ ଐତିହାସିକ ତଥା ଭକ୍ତିପୂତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ପୂଜା କମିଟି ନିଜର ଗୌରବମୟ ୮୫ ବର୍ଷ ପୂରଣ କରୁଥିବା ଉପଲକ୍ଷେ ଦେବୀଙ୍କ ଉଦ୍ଦେଶ୍ୟରେ ଏକ ଆକର୍ଷଣୀୟ ସୁବର୍ଣ୍ଣ ମୁକୁଟ ସମର୍ପଣ କରାଯାଇଛି। ଏକ ଭବ୍ୟ ସମାରୋହରେ ଏହି ନୂତନ ସୁନା ମୁକୁଟକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି, ଯାହା ସମଗ୍ର ସହରରେ ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିର ପରିବେଶ ସୃଷ୍ଟି କରିଛି। ଏହି ସୁବର୍ଣ୍ଣ ମୁକୁଟ ନିର୍ମାଣ ପାଇଁ ପ୍ରାୟ ୬୦୦ ଗ୍ରାମ ସୁନା ବ୍ୟବହାର କରାଯାଇଛି। କଟକର ପ୍ରସିଦ୍ଧ ମୂର୍ତ୍ତି କାରିଗର ତଥା ଶିଳ୍ପୀ ବସନ୍ତ ବେହେରାଙ୍କ ନିଖୁଣ କାରୁକାର୍ଯ୍ୟ ଏବଂ ସୂକ୍ଷ୍ମ କଳାତ୍ମକ ଦକ୍ଷତାରେ ଏହି ମୁକୁଟଟି ଅତ୍ୟନ୍ତ ନୟନଭରା ଓ ଆକର୍ଷଣୀୟ ହୋଇଛି। ମା’ଙ୍କ ଏହି ସୁବର୍ଣ୍ଣ ମୁକୁଟ ଆଗାମୀ ପୂଜା ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିବ ବୋଲି ଶ୍ରଦ୍ଧାଳୁମାନେ ଆଲୋଚନା କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଏହି ସୁନା ମୁକୁଟକୁ ଶୁଭ ଉନ୍ମୋଚନ କରିଥିଲେ। ସେ ନିଜ ବକ୍ତବ୍ୟରେ କମିଟିର ଦୀର୍ଘ ୮୫ ବର୍ଷର ଧାର୍ମିକ ପରମ୍ପରା, ସାମାଜିକ ଏକତା ଏବଂ ସହରର ଆଧ୍ୟାତ୍ମିକ ଭାବନାକୁ ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ହିମାଂଶୁ ଭୂଷଣ କର ଯୋଗଦେଇ ସହରର ସମୃଦ୍ଧ ସଂସ୍କୃତି ଉପରେ ଆଲୋକପାତ କରିବା ସହ ଏଭଳି ପାରମ୍ପରିକ ଉତ୍ସବ ସମସ୍ତଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି କରେ ବୋଲି କହିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, କାଉନସିଲର ରଶ୍ମିତା ସିଂହ, ପୂଜା କମିଟି ସଭାପତି ସୁବାସ କୁମାର ଚାନ୍ଦ ଏବଂ ସମ୍ପାଦକ ନିଗମାନନ୍ଦ ସାହୁ ଉପସ୍ଥିତଥିଲେ। ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ପ୍ରଶାନ୍ତ ସିଂହ, ବିବେକାନନ୍ଦ ମହାରଣା, ଯୁଗଳ କିଶୋର ଦାସ ଓ ରଞ୍ଜନ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ପ୍ରଫୁଲ୍ଲ କୁମାର ସାହୁ, କୁଳମଣି ବେହେରା, ସମାଜସେବୀ ସମୀର କୁମାର ଚାନ୍ଦ, ରଘୁ ଦଳାଇ, ବାଇଆ ସାହୁ, ଜଗା ସାହୁ, ଭାବଗ୍ରାହୀ ମହାପାତ୍ର, ଭାଗିରଥୀ ସାହୁ, କୁଞ୍ଜ ବିହାରୀ ଭଗତ, ଚିତ୍ତରଞ୍ଜନ ଭଗତ, ସୁରେନ୍ଦ୍ର ମଣ୍ଡଳ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଅଶୋକ ମଣ୍ଡଳ, ନରେନ୍ଦ୍ର ସାହୁ, କବିଲା ମଣ୍ଡଳ, ରୁଦ୍ର ମହାପାତ୍ର, ଲିଟୁ ମହାପାତ୍ର, କାବୁ ଭଗତ, ବାବୁ ଭଗତ, କଲ୍ୟାଣ ଭଗତ, ରିଙ୍କୁ ଭଗତ ଏବଂ ଯୁଗଳ ବେହେରାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା,ବୁଦ୍ଧିଜୀବୀ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ପୂଜା କମିଟିର ୮୫ତମ ବାର୍ଷିକୀ ଅବସରରେ ଏଭଳି ସୁବର୍ଣ୍ଣ ମୁକୁଟ ଅର୍ପଣ ପୂଜାର ଐତିହ୍ୟକୁ ଆହୁରି ମହିମାମଣ୍ଡିତ କରିଛି। ଶେଷରେ ସମସ୍ତ ଅତିଥି, କାରିଗର ଓ ସହଯୋଗୀଙ୍କୁ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ