ନିମ୍ନମାନର କାମ ଯୋଗୁଁ ୫୩ ନମ୍ବର ଜାତୀୟ ରାଜପଥ ରାସ୍ତା ଭୁଷୁଡି ପଡିଲା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିମ୍ନମାନର କାର୍ଯ୍ୟ ହେତୁ ଭୁଷୁଡି ପଡିଥିବା ଦେଖାଯାଇଛି। ଏହି ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁରଗଡା ନିକଟସ୍ଥ ରାସ୍ତାର ପ୍ରାୟ ୨ଶହ ମିଟରରୁ ଉର୍ଦ୍ଧ୍ୱ ନବନିର୍ମିତ ରାସ୍ତା ନିମ୍ନମାନର କାର୍ଯ୍ୟ କରାଯାଇଥିବା ଯୋଗୁଁ ଭୁଷୁଡି ପଡିଛି। ସେହି ରାସ୍ତାଦେଇ ଯାଉଥରବା ପଥଚାରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାସ୍ତା ଭୁଷୁଡି ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରିବା ସହ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଆୟାର ଘଟଣା ସମ୍ପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ପ୍ରାୟ ୪ହଜାର କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣଧିନ ଥିବା ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବାରେ ଆବଶ୍ୟକ ଦୃଷ୍ଟି ଦେଉନଥିବା ଦେଖାଯାଇଛି। ଫଳରେ ଠିକାସଂସ୍ଥାର ଯେଉଁ କର୍ମଚାରୀମାନେ ଏହି ରାସ୍ତା ନିର୍ମାଣାଧିନ ଦାୟୀତ୍ୱରେ ଅଛନ୍ତି ସେମାନେ ମନଇଛା କାର୍ଯ୍ୟକରୁଛନ୍ତି। ଏତଦବ୍ୟତିତ ଏହି ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ରାସ୍ତାର ସ୍ଥାୟୀତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ମାଣଧିନ ରାସ୍ତା ଭୁଷୁଡିବା ସମ୍ପର୍କରେ ଠିକାସଂସ୍ଥାର ଇଂ ଦୀପକ ସେନ କହିଛନ୍ତି ଯେ ଏହାର ତଦନ୍ତ କରାଯିବ ଓ ଦାୟୀ କର୍ମରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


