ଆସିକାରେ ଶିକ୍ଷାବିଭାଗ ପକ୍ଷରୁ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ପରାମର୍ଶ ଏବଂ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କାଳଷଣ୍ଢପୁର, ଖାରିଆ, କେ.ନୁଆଁପଲ୍ଲୀ, ଗଙ୍ଗାପୁର, ବାବନପୁର, ଭେଟନଇ, ବଡଖୋଲି, କେନ୍ଦୁପଦର, ହରିଡାପଦର କ୍ଳଷ୍ଟର ଅଧୀନସ୍ଥ ପ୍ରାୟ ୩୨ଟି କେନ୍ଦ୍ରରେ ରବିବାର ଉଲ୍ଲାସ-ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ସରକାରୀ ବିଦ୍ୟାଳୟର ନିରକ୍ଷର ଓ ସ୍ୱଳ୍ପ ସାକ୍ଷର ଅଭିଭାବକମାନଙ୍କୁ ନେଇ ଦ୍ୱିତୀୟ ଫାଉଣ୍ଡେସନାଲ୍‍ ଆଣ୍ଡ ନ୍ୟୁମେରି ଆସେସ୍‍ମେଣ୍ଟ ଟେଷ୍ଟ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ପ୍ରାୟ ୩୩ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୦୦ ଜଣ ଉଲ୍ଲାସ-ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ପରୀକ୍ଷା ଦେବା ପାଇଁ ନାମ ପଂଜିତ୍କୃତ କରିଥିଲା ବେଳେ ସେଥି ମଧ୍ୟରୁ ରବିବାର ପ୍ରାୟ ୩୫୦ ରୁ ଉର୍ଦ୍ଧ୍ୱ ଅଣ-ସାକ୍ଷର ପରୀକ୍ଷା ଦେଇଥିବା ଜଣାପଡିଛି । ସାହିତ୍ୟ ଭିତ୍ତିକ ଓ ଗଣିତ ସମ୍ବଳିତ ୧୫୦ ମାର୍କର ଏହି ଉଲ୍ଲାସ-ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ପରୀକ୍ଷା ପାଇଁ ଅଭିଭାବକମାନଙ୍କୁ ୨ ଘଣ୍ଟା ସମୟ ଦିଆଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମର ନୋଡାଲ୍‍ ଅଫିସର ତଥା ଏବିଇଓ ବିଭୁନନ୍ଦନ ପଣ୍ଡା ବିଭିନ୍ନ ପରୀକ୍ଷାକେନ୍ଦ୍ରକୁ ପରିଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ଉଲ୍ଲାସ-ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧାମୋହନ ଡାକୁଆ, ସୌଦାମିନୀ ହୋତା, ପ୍ରଧାନଶିକ୍ଷକ ତ୍ରିଲୋଚନ ପାତ୍ର, ମନୋଜ କୁମାର ବେହେରା, ସତ୍ୟନାରାୟଣ ସେଠୀ, ସହକାରୀ ଶିକ୍ଷକ ସୁନିତା ସୁବୁଦ୍ଧି, ସାଧବୀ ଧାରୁଆ, ଜ୍ୟୋତ୍ସ୍ନାମୟୀ ସିକା, ଅଶ୍ୱିନୀ କୁମାରୀ ନାୟକ, ପିଙ୍କି କୁମାରୀ ଡୁଙ୍ଗଡୁଙ୍ଗ୍‍ଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲ । ଆସିକା ଶିକ୍ଷା ବିଭାଗ ପକ୍ଷରୁ ଉଲ୍ଲାସ-ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ପରୀକ୍ଷା ଦେବା ପାଇଁ ନାମ ପଂଜିକୃତ କରିଥିବା ଅଭିଭାବକମାନଙ୍କୁ ପୂର୍ବରୁ ଉଲ୍ଲାସ ପୁସ୍ତିକ ପ୍ରଦାନ କରାଯାଇଥିଲା ବେଳେ ମୋବାଇଲ୍‍ ଆପ୍‍ ମାଧ୍ୟମରେ ଅଭିଭାବକମାନେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିଲେ । ଯାହାକୁ ଅଭ୍ୟାସ କରି ଅଭିଭାବକମାନେ ରବିବାର ଏହି ପରୀକ୍ଷା ଦେଇଥିବା ଜଣାପଡିଛି । ଘରୋଇ ବିଦ୍ୟାଳୟ ଭଳି ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ନିଜ ଘରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଲ୍ଲାସ-ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ବେଳେ ସ୍ୱଳ୍ପ ସାକ୍ଷର ଓ ନିରକ୍ଷର ଅଭିଭାବକମାନଙ୍କୁ ପ୍ରାଥମିକ ସ୍ତରରେ ଜ୍ଞାନ ଶିକ୍ଷା ପୁସ୍ତିକା ଓ ମୋବାଇଲ୍‍ ଆପ୍‍ ଦ୍ୱାରା ଶିକ୍ଷା ପ୍ରଦାନ କରାଯାଉଥିବା ଜଣାପଡିଛି । ନିରକ୍ଷରମାନଙ୍କୁ ସାକ୍ଷାର କରିବା ପାଇଁ ଶିକ୍ଷାବିଭାଗ ପକ୍ଷରୁ ଉଲ୍ଲାସ ନାମକ ଏକ ନୁଆଁ ଯୋଜନା ଆରମ୍ଭ ହୋଇସାରିଥିଲା ବେଳେ ଏହି କାର୍ଯ୍ୟକ୍ରମ ଅଣ-ସାକ୍ଷରଙ୍କ ମୁହଁରେ ହସ ଭରୁଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୧୫ ବର୍ଷରୁ ଅଧିକ ବୟସ୍କ ନିରକ୍ଷରମାନଙ୍କୁ ସାକ୍ଷର କରିବା । କୌଣସି କାରଣବଶତଃ ୧୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ପାଠ ପଢିପାରି ନଥିବା କିମ୍ବା ଆଗ୍ରହ ଥିଲେ ମଧ୍ୟ ପଢିବାର ସୁଯୋଗ ପାଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆବଶ୍ୟକୀୟ ଜ୍ଞାନ ଓ ଦକ୍ଷତା ସହିତ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ପ୍ରଥମ ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଉଲ୍ଲାସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇସାରିଛି । ଅଣ-ସାକ୍ଷରମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ୍‍ କରିବା ସହ ଶିକ୍ଷାର ବିକାଶ ଲାଗି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମହତ୍‍ ପଦକ୍ଷେପ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ