ଜବର ଦଖଲ ନଥାଇ ଲୋକଙ୍କ ଉପରେ ନୋଟିସ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଛୟାଳସିଂହ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧିନ ଗଣ୍ଡକୋରା ଓ ଗୋପାଳପୁର ଗ୍ରାମର କିଛି ଲୋକଙ୍କ ଉପରେ ଜବର ଦଖଲ ନଥାଇ ନୋଟିସ ଲାଗିବା ପରେ ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ମଙ୍ଗୁଲି ଛକରୁ ଗଣିଜାଙ୍ଗ ଭାୟା ଗୋପାଳପୁର ରାସ୍ତା ପାଶ୍ୱର୍ରେ ଖାତା ନଂ-୨୫୬, ପ୍ଲଟ ନଂ-୧୨୬ରେ ୧ ଡିସିମିଲ ଲେଖାଏ ଜାଗା ଜବର ଦଖଲ ହୋଇଥିବା ନେଇ ସ୍ୱର୍ଗତ ହାଡିବନ୍ଧୁ ଦାସ, ଶରତ ଜେନା, ରଥ ବାରିକ, ଲକ୍ଷ୍ମୀଧର ବାରିକ, କୃଷ୍ଣ ଚନ୍ଦ୍ର ଦାସ, ରବିନ୍ଦ୍ର ଜେନା, ରମେଶ ନାୟକଙ୍କ ସମେତ ବହୁ ଲୋକଙ୍କ ଉପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୨ ଦିନ ତଳେ ନୋଟିସ କରାଯାଇଥିଲା । ଆଜି ନୋଟିସ ପାଇଥିବା ଉପରୋକ୍ତ ଦୁଇ ଗ୍ରାମର ଲୋକ ମାନେ ଛୟାଳସିଂହ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ପହଞ୍ôଚôବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆର.ଆଇ ଛୁଟିରେ ଥିବାରୁ ଲୋକ ମାନଙ୍କୁ କୌଣସି ଉତ୍ତର ମିଳିନଥିଲା । ଲୋକଙ୍କ କହିବା ଅନୁଯାୟୀ ଗୋଟିଏ ନମ୍ବରରେ ଏକାଧିକ ଲୋକଙ୍କୁ ନୋଟିସ କରିବା ଏବଂ ନୋଟିସରେ ବାସୁଦେବପୁର ତହସିଲ କାର୍ଯ୍ୟାଳୟ ନାମକୁ କଟା ଯାଇ ବନ୍ତ ତହସିଲ ନାମ ଲେଖା ଯାଇଥିଲା । ସେହିପରି ଉପରୋକ୍ତ ଦୁଇ ଗ୍ରାମର କୌଣସି ବ୍ୟକ୍ତି ସରକାରୀ ଜାଗା ଜବର ଦଖଲ କରିନଥିବା ବେଳେ ସେମାନଙ୍କ ଉପରେ ଅଯଥାରେ ନୋଟିସ କରି ହଇରାଣ କରାଯାଉଛି ବୋଲି କହିଥିଲେ । ଯଦି କୌଣସି ବ୍ୟକ୍ତି ସରକାରୀ ଜାଗା ଜବର ଦଖଲ କରିଛନ୍ତି, ସେଗୁଡିକୁ ଚିହ୍ନଟ କରି ନୋଟିସ କରାଯିବାକୁ ଲୋକ ମାନେ କହିଥିଲେ । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।


