ଆସାମକୁ ୬ ୱିକେଟ୍ରେ ହରାଇଲା ଓଡ଼ିଶା ମହିଳା ଦଳ
କଟକ,(ଓ୍ବାଇଏନଏସ): ବିସିସିଆଇ ଘରୋଇ କ୍ରିକେଟ୍ ସିଜନ୍ ୨୦୨୬-୨୭ ଅନ୍ତର୍ଗତ ମହିଳା ଅଣ୍ଡର-୨୩ ଟି-୨୦ ଟ୍ରଫି ଏଲିଟ୍-ସି ପ୍ରତିଯୋଗିତାରେ ଆସାମ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଓଡ଼ିଶା ମହିଳା କ୍ରିକେଟ୍ ଦଳ। ରାଜକୋଟସ୍ଥିତ ସାନୋସାରା କ୍ରିକେଟ୍ ଗ୍ରାଉଣ୍ଡ-ଏ’ରେ ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ୬ ୱିକେଟ୍ରେ ଆସାମକୁ ପରାସ୍ତ କରିଛି। ଟସ୍ ଜିତି ଆସାମ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୧୪ ରନ୍ ସଂଗ୍ରହ କରିଥିଲା। ଆସାମ ପକ୍ଷରୁ ଖୁସି ଶର୍ମା ଅପରାଜିତ ୫୪ ରନ୍ (୩୭ ବଲ୍) ଏବଂ ଡଲି କାର୍ଡୋଙ୍ଗ ୨୧ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ଏସ୍.ବି. ଲରେନ୍ସ ୪ ଓଭରରେ ୨୧ ରନ୍ ଦେଇ ୪ଟି ୱିକେଟ୍ ଏବଂ ସରଦା ମହାନନ୍ଦ ୪ ଓଭରରେ ୧୩ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଓଡ଼ିଶା ମହିଳା ଦଳ ମାତ୍ର ୧୫.୪ ଓଭରରେ ୪ଟି ୱିକେଟ୍ ହରାଇ ୧୧୫ ରନ୍ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଓଡ଼ିଶା ପକ୍ଷରୁ ଅଲିପ୍ସା ବିଶ୍ୱାଳ ୧୭ ବଲ୍ରେ ୨୯ ରନ୍ ଏବଂ ସୁଚିସ୍ମିତା ପଣ୍ଡା ଅପରାଜିତ ୨୫ ରନ୍ (୧୪ ବଲ୍) କରି ଦଳର ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ। ଆସାମ ପକ୍ଷରୁ ପ୍ରିୟଙ୍କା କଲିତା ୨ଟି ଏବଂ କାକୁ ବର୍ମନ୍ ଗୋଟିଏ ୱିକେଟ୍ ନେଇଥିଲେ। ଶେଷରେ ଓଡ଼ିଶା ମହିଳା ଦଳ ୬ ୱିକେଟ୍ରେ ବିଜୟୀ ହୋଇ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରିଛି।


