ଜିଲ୍ଲାସ୍ତରୀୟ ଜନଜାତି ଗୌରବ ଦିବସ ପାଳିତ
ବାଲେଶ୍ୱର (ସରୋଜ ପଣ୍ଡା): ଆଜି ଜିଲ୍ଲାସ୍ତରୀୟ ଜନଜାତି ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପିଞ୍ଛାବଣିଆ ସରକାରୀ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଏବଂ ଜନଜାତି ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ ମାରାଣ୍ଡି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଶ୍ରୀଯୁକ୍ତ ଦେବାଶିଷ ସ୍ୱାଇଁ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସରପଞ୍ଚ ଶ୍ରୀମତୀ ମାଳତୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ଭଗବାନ ବିର୍ସା ମୁଣ୍ଡାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ ଦେଶ ତଥା ଜନଜାତି ସମାଜ ପାଇଁ ରହିଥିବା ଅବଦାନ ଓ ତ୍ୟାଗକୁ ସ୍ମରଣ କରିଥିଲେ। ଏଥିସହ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀମାନେ ଶିକ୍ଷା ଓ ଆତ୍ମବିଶ୍ୱାସକୁ ପାଥେୟ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ଆହ୍ୱାନ ଦେଇଥିଲେ। ମଧୁଛନ୍ଦା ଗିରି (WEO) ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ନାଏକଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ।


