ମୁମ୍ବାଇକୁ ୪ ୱିକେଟ୍ରେ ହରାଇଲା ଓଡ଼ିଶା ମହିଳା ଦଳ
କଟକ, (ଓ୍ବାଇଏନଏସ): ବିସିସିଆଇ ଘରୋଇ କ୍ରିକେଟ୍ ସିଜିନ୍ ୨୦୨୬-୨୭ ଅନ୍ତର୍ଗତ ମହିଳା ଅଣ୍ଡର-୨୩ ଟି-୨୦ ଟ୍ରଫି ଏଲିଟ୍-ସି ମୁକାବିଲାରେ ଚମତ୍କାର ପ୍ରଦର୍ଶନ କରି ମୁମ୍ବାଇକୁ ୪ ୱିକେଟ୍ରେ ପରାସ୍ତ କରିଛି ଓଡ଼ିଶା ମହିଳା ଦଳ। ରାଜକୋଟସ୍ଥିତ ସାନୋସରା କ୍ରିକେଟ୍ ଗ୍ରାଉଣ୍ଡ-ଏ’ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୧ ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ପକ୍ଷରୁ ଶର୍ଭି ସାଭେ ୩୪ଟି ବଲ୍ରୁ ୫ଟି ଚୌକା ସହ ୩୯ ରନ୍ କରିଥିବା ବେଳେ ହର୍ଲି ଗାଲା ୧୯ଟି ବଲ୍ରୁ ୨୨ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ଏସ୍.ବି. ଲରେନ୍ସ ୪ ଓଭରରେ ୧୭ ରନ୍ ଦେଇ ୨ଟି ୱିକେଟ୍ ଏବଂ ଜ୍ୟୋତି ପ୍ରସାଦ ୪ ଓଭରରେ ୧୬ ରନ୍ ଦେଇ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ୧୨୨ ରନ୍ର ବିଜୟଲକ୍ଷ୍ୟକୁ ପିଛା କରି ଓଡ଼ିଶା ଦଳ ୧୯.୨ ଓଭରରେ ୬ଟି ୱିକେଟ୍ ହରାଇ ୧୨୩ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଓଡ଼ିଶା ପକ୍ଷରୁ ଶ୍ରେୟା ପ୍ରିୟଦର୍ଶିନୀ ୨୩ଟି ବଲ୍ରୁ ୪ଟି ଚୌକା ସହ ୨୮ ରନ୍ କରିଥିବା ବେଳେ ଅନନ୍ୟା ଆର୍. ମିଶ୍ର ୨୧ଟି ବଲ୍ରୁ ୨ଟି ଚୌକା ସହ ଅପରାଜିତ ୨୬ ରନ୍ କରିଥିଲେ। ମୁମ୍ବାଇ ପକ୍ଷରୁ ନିୟତି ଜଗତାପ ୧୬ ରନ୍ ଦେଇ ୨ଟି ୱିକେଟ୍ ଏବଂ ନିର୍ମିତି ରାଣେ ୧୪ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଶେଷରେ ଓଡ଼ିଶା ମହିଳା ଦଳ ୪ ୱିକେଟ୍ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟରେ ନିଜର ଦକ୍ଷତା ପ୍ରଦର୍ଶନ କରିଛି।


