ବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ଯୋଡିବା ପାଇଁ ମାତ୍ର ୨ କିଲୋମିଟର ରାସ୍ତା ସାଜିଛି ବାଧକ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲା ମଧ୍ୟରେ ଯୋଗଯୋଗ ପାଇଁ ମାତ୍ର ୨ କିଲୋମିଟର ରାସ୍ତା ବାଧକ ସାଜିଛି। ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ସୀମାନ୍ତ ଗାଁ ହେଲା ମୁଣ୍ଡାଗୁଡା। ଏହି ଗାଁ ରୁ ସିନ୍ଧିଗୁଡା ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତା ମାଟି ରାସ୍ତା ହୋଇଥିବାରୁ ବର୍ଷାଦିନେ ସେହି ଅଞ୍ଚଳର ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। କେହି ରୋଗରେ ପଡିଲେ ଆମ୍ବୁଲାନ୍ସ ଆସିପାରୁନାହିଁ ଲୋକେ ଖଟିଆ ରେ ବୁହାହୋଇ ପକ୍କା ରାସ୍ତା ପର୍ଯ୍ୟନ୍ତ ଆଣିବାକୁ ପଡୁଛି ଆଉ ତାପରେ ଆମ୍ବୁଲାନ୍ସ ସୁଵିଧା ପାଇପାରୁଛନ୍ତି।ନବରଙ୍ଗପୁର ଜିଲ୍ଳାର ମୁଣ୍ଡାଗୁଡା ସୀମାନ୍ତ ଗାଁ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାର ପ୍ରାୟ ୧୪ରୁ ଅଧିକ ଗାଁ ଲୋକେ ତେନ୍ତୁଳିଖୁଣ୍ଟି ମେଡିକାଲ ଉପରେ ନିର୍ଭର କରିଆସୁଛନ୍ତି। କାରଣ ଏହି ଗାଁ ଲୋକଙ୍କ ପାଇଁ କଳାହାଣ୍ଡିର ଜୟପାଟଣା ମେଡିକାଲ କୁ ଯିବାକୁ ହେଲେ ୩୫ ରୁ ଅଧିକ କିଲୋମିଟର ଘାଟି ରାସ୍ତାଦେଇ ଯିବାକୁ ପଡୁଛି। ଅନ୍ୟପଟେ ତେନ୍ତୁଳିଖୁଣ୍ଟି ମେଡିକାଲ ୨୦ କିଲୋମିଟର ପଡୁଛି । ତେଣୁ ୧୪ ଖଣ୍ଡ ଗାଁ ଲୋକେ ତେନ୍ତୁଳିଖୁଣ୍ଟି ମେଡିକାଲ ଉପରେ ନିର୍ଭର କରୁଥିବା ପ୍ରକାଶ କରିଛନ୍ତି।ଏହାଛଡା ରାୟଗଡା ଜିଲ୍ଲାର ଟିକିରି ଏବଂ କାଶୀପୁର କୁ କମ ବାଟ ପଡୁଥିବା ଯୋଗୁଁ ଲୋକେ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି। ତେଣୁ ବର୍ଷାଦିନ ପୂର୍ବରୁ ରାସ୍ତା ନିର୍ମାଣ କରାଗଲେ ଲୋକେ ଉପକୃତ ହୋଇଥାନ୍ତେ। ଏହି ଦୁଇ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଗାଁ ଲୋକେ ବହୁବାର ତେନ୍ତୁଳିଖୁଣ୍ଟି ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏଭଳିକି କଳାହାଣ୍ଡି ଜିଲ୍ଲାର ତିନିଟି ଗାଁ ଲୋକେ ଲିଖିତ ଆକାରରେ ତେନ୍ତୁଳିଖୁଣ୍ଟି ପୂର୍ବତନ ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ଜଣାଇଥିଲେ। ଏହାପରେ ପାଦାଚଲା ରାସ୍ତାକୁ ମାନେରଗା ଯୋଜନା ଅନ୍ତର୍ଭୁକ୍ତ କରାଯାଇ ମାଟି ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ତାହା ଖରା ଏବଂ ଶୀତ ଦିନେ ଯାତାୟାତ ପାଇଁ କିଛି ମାତ୍ରାରେ ଉପଯୁକ୍ତ ଥିବାବେଳେ ବର୍ଷା ଦିନ ଆସିଲେ ଆଉ ଯାତାୟତ ପାଇଁ ପର୍ଯ୍ୟାପ୍ତ ହେଉ ନାହିଁ। ତେଣୁ ସେହି ଦୁଇ କିଲୋମିଟର ରାସ୍ତାକୁ ପିଚୁ ରାସ୍ତାରେ ପରିଣତ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ। ତେନ୍ତୁଳିଖୁଣ୍ଟି ରୁ ମୁଣ୍ଡାଗୁଡା ୧୩ କିଲୋମିଟର ଥିବାବେଳେ ସିନ୍ଧିଗୁଡା ପର୍ଯ୍ୟନ୍ତ ପିଚୁରାସ୍ତା ହୋଇସାରିଛି କିନ୍ତୁ ଆଉ ଦୁଇ କିଲୋମିଟର ରାସ୍ତା କୁ କାହିଁକି ପିଚୁ କରାଗଲା ନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ ତରଫରୁ ରାସ୍ତା ନିର୍ମାଣ ପାଇଁ ବହୁବାର ଦାବି ହୋଇଛି ଏବଂ ପୂର୍ବତନ ବିଡ଼ିଓ ଏବଂ ପୂର୍ବତନ ବିଧାୟକ ସଦାଶିଵ ପ୍ରଧାନୀ ଙ୍କୁ ଅବଗତ କରାଯାଇଛି। ବିଧାୟକ ସଦାଶିବ ପ୍ରଧାନୀ ମଧ୍ୟ ସେହି ସ୍ଥାନକୁ ଯାଇ ରାସ୍ତାର ଅବସ୍ଥା ଦେଖିକି ଫେରିଛନ୍ତି । ସେଭଳି ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ମଧ୍ୟ ରାସ୍ତା ନିର୍ମାଣ ପାଇଁ ଦାବି କରଯାଇଥିଲା ବୋଲି ଗ୍ରୁପ ପକ୍ଷରୁ କୁହାଯାଇଛି ତଥାପି ଏଥିପ୍ରତି କେହି ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି ରାସ୍ତା ନିର୍ମାଣ ପାଇଁ ମଙ୍ଗରଦରା ସିନ୍ଧିଗୁଡା,ଖଡ଼ିଆଗୁଡା ଗାଁର ସୋନା ଜାନୀ ,ସୁନ୍ଦୁରୁ ଯାନୀ ,ଜଗର ଯାନୀ ,କଣ୍ଠ ଯାନୀ ,ବୋଳି ହରିଜନ, ସାଧୁ ଗୌଡ଼ ମକର ଗୌଡ଼ ଶ୍ୟାମ ଗୌଡ଼ ରଘୁ ଗୌଡ଼ ନାବ ହରିଜନ ଜଳଧର ହରିଜନ ଏବଂ ହୃଦାନନ୍ଦ ପଟ୍ଟନାୟକ ପ୍ରମୁଖ ଦାବି କରିଛନ୍ତି।