ମ୍ୟୁନିସ୍‌ପାଲ୍ ହାଇସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତି ଦାବିରେ ସ୍ଥାନୀୟ କାଉନସିଲରଙ୍କ ଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା): ବାଳାଶ୍ରମସ୍ଥିତ ମ୍ୟୁନିସିପାଲ୍ ହାଇସ୍କୁଲ୍‌ରେ ଆବଶ୍ୟକୀୟ ଶିକ୍ଷକ ଅଭାବରୁ ଗୋଟିଏ ଗୋଟିଏ ଶ୍ରେଣୀରେ ଶତାଧିକ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ସାହିତ୍ୟ, ସାମାଜିକ ଓ ଇଂରାଜୀ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଜିଲ୍ଲା ଜନଶୁଣାଣିରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଆବେଦନ କରି ଆସୁଥିଲେବି ସମସ୍ୟାର ସମାଧାନ ହୋଇପାରୁନଥିଲା। ବୁଧବାର ଦିନ ୧୦ଟାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍ ସମ୍ମୁଖରେ ସ୍ଥାନୀୟ କାଉନସିଲର ତଥା ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଦେବାଶିଷ ସିଂହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋଚିତ୍ର ରଖି ଧାରଣାରେ ବସିଥିଲେ। ତାଙ୍କୁ ସମର୍ଥନ ଜଣାଇ ସ୍କୁଲ୍ ପରିଚାଳନା କମିଟିର ସଭ୍ୟ, ସଭ୍ୟା ଓ ଅଭିଭାବକ ତଥା ବାଲେଶ୍ୱରର କେତେକ ସାମାଜିକ ସଂଗଠନର କର୍ମକର୍ତ୍ତା ଧାରଣାସ୍ଥଳରେ ପହଞ୍ôଚ ଶ୍ରୀ ସିଂହଙ୍କୁ ଦୃଢ଼ ସମର୍ଥନ ଜଣାଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଡ. ବସନ୍ତ କୁମାର ନାୟକଙ୍କୁ ବିଦ୍ୟାଳୟର ପରିଚାଳନା କମିଟି ଓ ଅଭିଭାବକ କମିଟିରୁ ମାମା ଧଳ, ସୁରେଖା ବେହେରା, ଶୁଭେନ୍ଦ୍ର ପାତ୍ର, ଧନେଶ୍ୱର ବାରିକ, ସେବତୀ ମାରାଣ୍ଡି, ମିନାକ୍ଷୀ ପଣ୍ଡା, ତାପସ ଆଚାର୍ଯ୍ୟ, ଡମ୍ବରୁ ବେହେରାଙ୍କ ସମେତ ବାଲେଶ୍ୱର ଶିକ୍ଷା ସୁରକ୍ଷା ମଞ୍ଚର ଆବାହକ ରଘୁନାଥ ଲେଙ୍କା, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସନ୍ତୋଷ ସାହୁ, ସେଖ୍‌, ଇକ୍‌ବାଲ୍‌, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଓ ରାଜକିଶୋର ଲେଙ୍କା, ସାମାଜିକକର୍ମୀ ଶିଶିର ହୁଇ, ଅରୁଣ ଜେନା ଓ ସୀତାଂଶୁ ସେନାପତି ପ୍ରମୁଖ ସାକ୍ଷାତ କରି ଦୀର୍ଘ ଆଲୋଚନା ପରେ ଆସନ୍ତା ଦୁଇଦିନ ମଧ୍ୟରେ ଜଣେ ଶିକ୍ଷକ ଓ ଆସନ୍ତା ମାସରେ ଅନ୍ୟଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଡ. ନାୟକ ଧାରଣାସ୍ଥଳରେ ଶ୍ରୀ ସିଂହଙ୍କୁ ସାକ୍ଷାତ କରି ପ୍ରତିଶ୍ରୁତି ଜଣାଇବା ସହ ଧାରଣାରୁ ନିବୃତ୍ତ ହେବାକୁ ଅନୁରୋଧ କରିଥିଲେ। ଶ୍ରୀ ଦେବାଶିଷ ସିଂହ ଧାରଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷାପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇ ଧାରଣା ପ୍ରତ୍ୟାହାର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ