୧୦ କେଜିରୁ ଅଧିକ ବ୍ରାଉନ୍ ସୁଗାର ଜବତ, ଦୁଇ ଗିରଫ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ସହରର ଗୋପାଳଗାଁ ଅଞ୍ଚଳରେ ପୋଲିସ ଚଢ଼ାଉ କରି ୧୦ କେଜି ୨୩୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ପୋଲିସ ପ୍ରେସ୍ ନୋଟ୍ ଅନୁଯାୟୀ, ଗତ ୧୬ ତାରିଖ ରାତି ୧୧ଟା ୪୯ ମିନିଟ୍ ସମୟରେ ଟାଉନ ଥାନା ଆଇଆଇସିଙ୍କୁ ଏକ ବିଶ୍ୱସନୀୟ ସୂତ୍ରରୁ ବ୍ରାଉନ୍ ସୁଗାର କାରବାର ସମ୍ପର୍କରେ ସୂଚନା ମିଳିଥିଲା। ସୂଚନା ଆଧାରରେ ପୋଲିସ ଗୋପାଳଗାଁସ୍ଥିତ ଏକ ଘରେ ଚଢ଼ାଉ କରି ଦୁଇ ଜଣଙ୍କୁ ଅଟକ ରଖିବା ସହ ବ୍ରାଉନ୍ ସୁଗାର ଜବତ କରିଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡବଜାର ଗ୍ରାମର ଏସ୍.କେ. ଅସଗର ଏବଂ ୩୭ ବର୍ଷୀୟା ହମିଦା ବିବି। ପୋଲିସ ସୂଚନା ଅନୁଯାୟୀ, ଉଭୟେ ବେଆଇନ ବ୍ରାଉନ୍ ସୁଗାର କାରବାରରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଚଢ଼ାଉ ସମୟରେ ୧ କେଜି ୯୧୩ ଗ୍ରାମ କଞ୍ଚା ବ୍ରାଉନ୍ ସୁଗାର ଏବଂ ୮ କେଜି ୩୨୦ ଗ୍ରାମ ପାଉଡର ଆକାରର ବ୍ରାଉନ୍ ସୁଗାର ଜବତ ହୋଇଛି। ଏଥିସହ ୪ ଲକ୍ଷ ୬୨ ହଜାର ୭୯୦ ଟଙ୍କା ନଗଦ ଅର୍ଥ, ୧୧ଟି ଏଟିଏମ୍/ରୁପେ/ପାନ୍/ଇସିଆଇ/ଡିଏଲ୍ କାର୍ଡ, ଗୋଟିଏ ମୋଟରସାଇକେଲ, ଗୋଟିଏ ସ୍କୁଟି, ୬ଟି ମୋବାଇଲ ଫୋନ୍, ବ୍ରୁସିନ୍ ଆନହାଇଡ୍ରସ୍ ୯୯ ପ୍ରତିଶତର ୬ଟି ବୋତଲ ଏବଂ ଦୁଇଟି ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ଜବତ କରାଯାଇଛି। ଏନେଇ ବାଲେଶ୍ୱର ଟାଉନ ଥାନାରେ କେସ୍ ନଂ ୩୮୧, ତାରିଖ ୧୭.୧୧.୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୧(ସି) ଏବଂ ବିଏନ୍ଏସ୍ର ଧାରା ୨୭୬/୨୭୭/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।


