ଡେରାବିଶ ବ୍ଲକରେ କୋଟିଏରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହଡ଼ପ: ସନ୍ଦେହ ଘେରରେ ବିଡିଓଙ୍କ ଭୂମିକା,
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ପ୍ରଶାସନରେ ସାମ୍ନାକୁ ଆସିଛି ଏକ ବିରାଟ ଆର୍ôଥକ କେଳେଙ୍କାରୀ। ବ୍ଲକର ବରିଷ୍ଠ କିରାଣି ଶଶିକାନ୍ତ ରଣା ଜାଲିଆତି କରି ସରକାରୀ ତହବିଲରୁ ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କା ହଡ଼ପ କରିନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଜିଲ୍ଲାର ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଚେତା ପଶିଥିବା ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ନମିତା ବାରିକ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ସଦର ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା କୋଷାଗାର ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଆର୍ôଥକ କାରବାର ଯାଞ୍ଚ କରିବା ସମୟରେ ଏହି ମହାଘୋଟାଲା ଧରାପଡ଼ିଥିଲା। ସରକାରୀ କର୍ମଚାରୀଙ୍କ ପେନସନ ଓ ପ୍ରୋଭିଜନାଲ ଗ୍ରାଚ୍ୟୁଇଟି ଭଳି ଅର୍ଥକୁ ସମନ୍ୱିତ ଆର୍ôଥକ ପରିଚାଳନା ପୋର୍ଟାଲ ମାଧ୍ୟମରେ ପୁନର୍ବାର ପୈଠ ଦର୍ଶାଇ ଏହି ଅର୍ଥ ହରିଲୁଟ କରାଯାଇଛି। ଉକ୍ତ ବିରାଟ ଅର୍ଥ କିରାଣି ଶଶିକାନ୍ତଙ୍କ ଜଣେ ସମ୍ପର୍କୀୟଙ୍କ ଦୁଇଟି ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର ହୋଇଥିବା ବେଳେ ଜଣେ ପୂର୍ବତନ ଗ୍ରାମ୍ୟ ଉନ୍ନୟନ କର୍ମଚାରୀଙ୍କ ଖାତାକୁ ମଧ୍ୟ ପ୍ରାୟ ୫ ଲକ୍ଷ ୮୯ ହଜାର ଟଙ୍କା ଯାଇଥିବା ସ୍ପଷ୍ଟ ହୋଇଛି। ଏହି ଅର୍ଥ ତୁରନ୍ତ ଫେରସ୍ତ ଆଣିବା ପାଇଁ କୋଷାଗାର ଅଧିକାରୀ ଗତ ୧୬ ତାରିଖରେ ବିଡିଓଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ବିଡିଓଙ୍କ ଭୂମିକାକୁ ନେଇ। ଅକ୍ଟୋବର ୧୬ରେ କୋଷାଗାରରୁ ଲିଖିତ ଚିଠି ପାଇବା ସତ୍ତ୍ୱେ ବିଡିଓ ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ କାହିଁକି ଚୁପ୍ ରହିଲେ? ଏତେ ବଡ଼ ଦୁର୍ନୀତିର ସୁରାକ ପାଇବା ପରେ ମଧ୍ୟ କିରାଣିଙ୍କ ବିରୋଧରେ ଥାନାରେ ତୁରନ୍ତ ଅଭିଯୋଗ ନ କରି ତାଙ୍କୁ ୨୭ ଅକ୍ଟୋବରରୁ ୧୫ ଦିନିଆ ଛୁଟି ମଞ୍ଜୁର କରାଯିବା ପ୍ରଶାସନିକ ସ୍ୱଚ୍ଛତା ଉପରେ ଗମ୍ଭୀର ସନ୍ଦେହ ସୃଷ୍ଟି କରିଛି। ସାଧାରଣରେ ଚର୍ଚ୍ଚା ହେଉଛି ଯେ ମିଥ୍ୟା ବିଲ୍ ପାସ୍ ହେବା ପଛରେ କେବଳ କିରାଣି ନୁହନ୍ତି ବରଂ ଅନୁମୋଦନକାରୀ ଅଧିକାରୀ ଭାବେ ବିଡିଓ ନିଜ ଦାୟିତ୍ୱରୁ କିଭଳି ମୁକ୍ତ ରହିପାରିବେ? ଗତ ୨୮ ତାରିଖରେ ବିଡିଓ ଆକାଉଣ୍ଟସ୍ ଅଫିସରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଷୟଟି ଚାପି ରଖିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଥିଲା। ଶେଷରେ ଖବର ପଦାକୁ ଆସିବା ପରେ ପୋଲିସ ପ୍ରଶାସନ ସହ ଭିଜିଲାନ୍ସ ବିଭାଗ ମଧ୍ୟ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଏହି ବହୁଚର୍ଚ୍ଚିତ ହରିଲୁଟ ଘଟଣାରେ କେବଳ ଜଣେ କିରାଣିଙ୍କୁ ବଳି ପକାଯାଉଛି ନା ଏଥିରେ ସମ୍ପୃକ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ତାହା ଉପରେ ଏବେ ସମଗ୍ର ଜିଲ୍ଲାବାସୀଙ୍କ ନଜର ରହିଛି।


