ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ବିଜେଡିର ବିଶୃଙ୍ଖଳିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?
ଆସିକା (ୱାଇଏନ୍ଏସ୍) ଆସନ୍ତା ୨୦୨୭ ମସିହା ଜାନୁୟାରୀ କିମ୍ବା ଫେବୃୟାରୀ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଭାସ ମିଳିବା ପରେ ଦୀର୍ଘ ଦିନ ଧରି ସୁପ୍ତ ହୋଇରହିଥିବା ଆସିକା ଅଞ୍ଚଳର ରାଜନୀତି ଏବେଠୁ ଦିନକୁ ଦିନ ଚଳଚଞ୍ଚଳ ହୋଇଉଠୁଥିବା ଦେଖିବାକୁ ମିଳୁଛି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ସଂଗଠନକୁ ଆସିକା ଅଞ୍ଚଳରେ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ କରିବା ପାଇଁ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ ଓ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ନେତୃତ୍ୱରେ ଦଳର ବହୁ ପୁରୁଖା ନେତା, ବିଜୁପ୍ରେମୀ, ବିଜୁ ଯୁବ-ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ପ୍ରୟାସ ଜାରି ରଖିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚିତ ହେଉଛି । ଗତ ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନ ଠାରୁ ଆରମ୍ଭ କରି ତାର ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହୋଇଥିବା ସମବାୟ ନିର୍ବାଚନରେ ବିଜୁ ଜନତା ଦଳର ଦଳୀୟ ନେତା ଓ କର୍ମୀମାନେ ମତାନ୍ତର ଓ ମନାନ୍ତର ଭୁଲି ଏକ ମନ ଏକ ପ୍ରାଣରେ କାମ କରିବା ଯୋଗୁଁ ଆସିକା ଅଞ୍ଚଳର ବହୁ ସଂସ୍ଥାକୁ ଅକ୍ଳେଶରେ ବିଜେଡି ଦଖଲ କରିବାରେ ସକ୍ଷମ ହୋଇପାରିଥିଲା । ଅତୀତରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ଦୟାରେ ବିଭିନ୍ନ ପଦପଦବୀରେ ଦୀର୍ଘ ଦିନ ଧରି କ୍ଷମତା ଉପଭୋଗ କରିଆସୁଥିବା ଆସିକା ଅଞ୍ଚଳର କେତେକ ବହୁରୂପୀ ଦଳୀୟ ନେତା ନିଜର ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ଲାଗି ଯେଉଁଭଳି ଭାବେ ଗତ କିଛି ମାସ ହେଲା ସଂଗଠନକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର କରିବା ସହ ବିଶ୍ୱାସଘାତକ ସାଜିଛନ୍ତି ସେହିଭଳି ବିଶୃଙ୍ଖଳିତ ନେତାଙ୍କ ବିରୋଧରେ ଦଳର ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦ କେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ପୁରୁଖା ନେତାଙ୍କ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ମାର୍ଗଦର୍ଶନ ଓ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବହୁ ଦଳୀୟ ନେତା ଓ କର୍ମୀ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସୁଥିଲା ବେଳେ ଅନ୍ୟ କେତେକ ଦଳୀୟ ନେତା ପରିସ୍ଥିତି ଚକ୍ରରେ ପଡି ଦଳ ବିରୋଧରେ ସ୍ୱର ଉତ୍ତଳନ ନକରି ନିଜର ସ୍ୱାଭିମାନକୁ ବଜାୟ ରଖି ରାଜନୀତିରୁ ସନ୍ୟାସୀ ନେଲା ଭଳି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗନଦେଇ ନୀରବ ରହୁଥିବା ଦେଖିବାକୁ ମିଳୁଛି । ବିଗତ କିଛି ମାସ ହେଲା ବିଭିନ୍ନ ସମୟରେ ରାଜ୍ୟର କେତେକ ଦଳ ବିରୋଧୀ ବିଜେଡିି ନେତାଙ୍କ ବିରୋଧରେ ବିଶୃଙ୍ଖଳିତ କାର୍ଯ୍ୟରେ ଲିପ୍ତ ଥିବା ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରି ରାଜ୍ୟ ନେତୃବୃନ୍ଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା ବେଳେ ଆସିକାରେ ସେଭଳି କେତେକ ନେତାଙ୍କ ବିରୋଧରେ କେବେ ପଦକ୍ଷେପ ନିଆଯିବା ତାହାକୁ ନେଇ ସାଧାରଣରେ ନାନା କଥା ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଠାରୁ ଆରମ୍ଭ କରି ଶ୍ରାଦ୍ଧବାର୍ଷିକୀ ପାଳନ ସମେତ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗନଦେଇ ସମାନ୍ତରାଳ ଭାବେ ଅତୀତରେ ବିଭିନ୍ନ ସମୟରେ କାର୍ଯ୍ୟକ୍ରମମାନ ଆୟୋଜନ କରି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଓ ବିରୋଧୀଙ୍କ ସହ ହାତ ମିଳାଇଥିବା କେତେକ ନେତାଙ୍କ ବିରୋଧରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦ ବେଳ ଥାଉ ଥାଉ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏହାର ପ୍ରଭାବ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ନିଶ୍ଚିତ ଭାବେ ପ୍ରତିଫଳିତ ହେବ ବୋଲି ରାଜନୈତିକ ବିଶାରଦଙ୍କ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ବିଶୃଙ୍ଖଳିତଙ୍କ ବିରୋଧରେ କାଯ୍ୟାନୁଷ୍ଠାନରେ ଅହେତୁକ ବିଳମ୍ବ ସଂକ୍ରାନ୍ତରେ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ ଓ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେମାନେ କହିଲେ ଯେ ଏହି ଘଟଣା ସଂକ୍ରାନ୍ତରେ ସଂପୁର୍ଣ୍ଣ ତଥ୍ୟ ଓ ପ୍ରମାଣ ସହ ଦଳର ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରାଯାଇସାରିଛି ଓ ଅତିଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଣି ଆଲୋଚନା କରାଯିବାର ବ୍ୟବସ୍ଥା କରାଯାଉଛି । ଅତୀତରେ ଗତ ୨୦୨୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ଏକ ଅଭେଦ୍ୟ ଦୁର୍ଗ ରୂପେ ପରିଚିତ ଥିବା ଆସିକା ଅଞ୍ଚଳରେ ଦଳୀୟ ସଂଗଠନକୁ ସାଂପ୍ରତିକ ପରିସ୍ଥିତିରେ ଆହୁରି ସୁଦୃଢ କରିବା ସହ ଦଳ ଭିତରେ ରହି ବିଶୃଙ୍ଖଳିତ ଓ ବିଶ୍ୱାସଘାତକ କାର୍ଯ୍ୟରେ ଲିପ୍ତ ରହୁଥିବା କେତେକ ନେତାଙ୍କ ବିରୋଧରେ ରାଜ୍ୟ ନେତୃବୃନ୍ଦ କେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ବୋଲି ଚର୍ଚ୍ଚା ହେଉଛି ।


