ପେଟ୍ରୋଲ ସଂକଟରେ ଆସିକାରେ ଗଡିଲା ଶଗଡ !
ଆସିକା (ୱାଇଏନ୍ଏସ୍) :ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ଦେଶରେ ଇନ୍ଧନ ସଂକଟ ଲାଗିରହିଛି । ପେଟ୍ରୋଲ୍ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ପେଟ୍ରୋଲ୍ ପମ୍ପ ନିକଟରେ ଗାଡିରେ ତେଲ ପକାଇବା ପାଇଁ ପ୍ରତ୍ୟୁଷରୁ ରାତ୍ର ପର୍ଯ୍ୟନ୍ତ ଗାଡିଚାଳକଙ୍କ ଭିଡ ଲାଗିରହୁଛି । ଏଭଳି ସ୍ଥିତିରେ ଆସିକା ସହରରେ ଦେଖିବାକୁ ମିଳିଛି ନୂତନ ଚିତ୍ର । ପେଟ୍ରୋଲ ଓ ଡିଜେଲ୍ ସଂକଟ ଯୋଗୁଁ ଆସିକା ସହରର କେତେକ ସାହିବସ୍ତିରେ ଗତ କିଛି ଦିନ ହେଲା ଶଗଡରେ ଘର ନିର୍ମାଣ ସାମଗ୍ରୀ ପରିବହନ ହେଉଥିବା ପରିଲକ୍ଷିତ ହେଉଛି । ଏଭଳି ଚିତ୍ର ପୁରୁଣା ଦିନର ସ୍ମୃତିକୁ ପୁଣି ମନେ ପକାଇବାରେ ଲାଗିଛି । ପେଟ୍ରୋଲ୍ ଓ ଡିଜେଲ୍ ସଂକଟ ଯୋଗୁଁ ଏବେ ବହୁ ବ୍ୟକ୍ତି ଶଗଡ କଥା ମନେ ପକାଇଲେଣି । ଆଜି ନହେଲେ କାଲି ଆଉ ପେଟ୍ରୋଲ୍ କିମ୍ବା ଡିଜେଲ୍ ମିଳିବନି ବୋଲି ଚର୍ଚ୍ଚା ବି ଲାଗିରହିଛି । ଏଭଳି ସ୍ଥିତିରେ ଚାଷ ଠାରୁ ଆରମ୍ଭ କରି ଅନ୍ୟ କାମ କିପରି ହେବ ବୋଲି ବିଭିନ୍ନ ସାହିବସ୍ତିର ସଚେତନ ନାଗରିକଙ୍କ ଠାରୁ ଆରମ୍ଭ କରି ଚାଷୀ ମହଲରେ ଚର୍ଚ୍ଚା ଲାଗିରହିିଛି । ପେଟ୍ରୋଲ୍ ସଂକଟ ଯୋଗୁଁ ଆସିକା ସହରର କେତେକ ସାହିବସ୍ତିରେ ପ୍ରତ୍ୟୁଷରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶଗଡର କେଁ କଟର କେଁ କଟର ଶବ୍ଦ ଶୁଣିବାକୁ ମିଳୁଛି । ଆଉ ମା କାହାଣୀର ପେଢି ଭିତରେ ଶଗଡ ଇତିହାସ ହେବା ପୂର୍ବରୁ ତୈଳ ସଂକଟ ଏହାକୁ ପୁଣି କେତେକାଂଶରେ ଦୈନନ୍ଦିନ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଗ୍ରହଣ ହେବ ବୋଲି ଆଲୋଚିତ ବି ହେଉଛି । ଦୀର୍ଘ ବର୍ଷ ତଳେ ଗ୍ରାମ୍ୟ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଶଗଡ । ଶଗଡ ସହ ସାଧାରଣ ଜନତାଙ୍କ କଳା, ସଂସ୍କୃତି ଓ ଅର୍ଥନୀତି ସହ ନିିବିଡ ସଂପର୍କ ଥିଲା । ବିବାହ, ବ୍ରତ ଠାରୁ ଆରମ୍ଭ କରି ଘର ନିର୍ମାଣ ସାମଗ୍ରୀ ପରିବହନରେ ଶଗଡ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା । ତେବେ ଆଧୁନିକତାର ଛାପରେ ଶଗଡ ନାନା କାରଣରୁ ଗ୍ରାମ୍ୟ ଜୀବନର ଚଳନ୍ତିରୁ ଉଭେଇଗଲା । ଏବେ ସମଗ୍ର ବିଶ୍ୱରେ ତୈଳ ସଂକଟ ଯୋଗୁଁ ସାଧାରଣ ଲୋକଙ୍କ ସୁଖଦୁଃଖର ସାଥୀ ଶଗଡକୁ ବହୁ ବ୍ୟକ୍ତି ମନେ ପକାଉଥିବା ଦେଖିବାକୁ ମିଳୁଛି ।


