ବନ୍ୟା ପ୍ରଭାବିତ ସ୍ଥିତି ସମୀକ୍ଷା କଲେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାଏକ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ଆଜି ପରିଦର୍ଶନ କରିଛନ୍ତି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାଏକ। ମନ୍ତ୍ରୀ ଶ୍ରୀ ନାଏକ ବନ୍ୟା ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଅବଗତ ହେବା ସହ ବନ୍ୟା ପରବର୍ତ୍ତୀ ସ୍ଥିତି, କ୍ଷୟକ୍ଷତି ଏବଂ ପ୍ରଶାସନ ପକ୍ଷରୁ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ନାଏକ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ଭଦ୍ରସିଆ, ଓଲନ୍ଦା-ସାରଗାଁ ପଞ୍ଚାୟତର ବଡ଼ଗୋବରା ଏବଂ କୁରାଡିହା ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ବନ୍ୟା ଯୋଗୁଁ ରାସ୍ତାଘାଟ, ଘରବାଡ଼ି, କୃଷି ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ପଡ଼ିଥିବା ପ୍ରଭାବ ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନିକ ଅଧିକାରୀଙ୍କଠାରୁ ସେ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ। ବନ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ କୁରାଡିହା ଠାରେ ଆୟୋଜିତ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରକୁ ମନ୍ତ୍ରୀ ଶ୍ରୀ ନାଏକ ଉଦ୍ଘାଟନ କରିଥିଲେ। ଏହି ଶିବିର ମାଧ୍ୟମରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା। ଏହି ପରିଦର୍ଶନ ସମୟରେ ମନ୍ତ୍ରୀଙ୍କ ସହ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଉପସ୍ଥିତ ରହି ବନ୍ୟା ପ୍ରଭାବିତ ଅଞ୍ଚଳର ସାମ୍ପ୍ରତିକ ସ୍ଥିତି ଓ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସିଡିଓ, ସଦର ବିଡିଓ, ସଦର ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସେହିପରି ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଗୟାଧର ବେହେରାଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ପରିଦର୍ଶନରେ ସାମିଲ ହୋଇଥିଲେ। ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ, କ୍ଷୟକ୍ଷତିର ଯଥାଯଥ ଆକଳନ, କ୍ଷତିଗ୍ରସ୍ତ ଗ୍ରାମୀଣ ଭିତ୍ତିଭୂମିର ପୁନରୁଦ୍ଧାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବନ୍ୟା ପରିସ୍ଥିତିରେ ଲୋକଙ୍କ ସୁରକ୍ଷା, ସହାୟତା ଓ ପୁନରୁଦ୍ଧାରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ରାଜ୍ୟ ସରକାର ତୃଣମୂଳସ୍ତରରେ ସ୍ଥିତିର ନିରନ୍ତର ଅନୁଧ୍ୟାନ କରୁଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ, ବନ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ ସେମାନଙ୍କ ଜୀବନଜୀବିକାକୁ ପୁନଃ ସ୍ୱାଭାବିକ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରାଥମିକତା। ପ୍ରଭାବିତ ଅଞ୍ଚଳର ଲୋକମାନେ ଯେପରି ଆବଶ୍ୟକ ସରକାରୀ ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପ୍ରଶାସନକୁ ସମ୍ବେଦନଶୀଳତା ଓ ତତ୍ପରତାର ସହ କାର୍ଯ୍ୟ କରିବାକୁ କୁହାଯାଇଛି। କ୍ଷୟକ୍ଷତିର ଯଥାଯଥ ଆକଳନ ସହ କ୍ଷତିଗ୍ରସ୍ତ ଗ୍ରାମୀଣ ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନରୁଦ୍ଧାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ।


