ଆସିକାର ୧୧ଟି ସରକାରୀ ହାଇସ୍କୁଲରେ ଖାଲି ପଡିଛି ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଓ ଏନ୍ଏସି ପରିସରଭୁକ୍ତ ଅଞ୍ଚଳରେ ଥିବା ଅଧିକାଂଶ ହାଇସ୍କୁଲ ଗୁଡିକ ଦୀର୍ଘ ଦିନ ହେଲା ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହେଉଛି । କେତେକ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକଙ୍କ ଠାରୁ ଆରମ୍ଭ କରି ସହକାରୀ ଶିକ୍ଷକ ପଦବୀ ଗୁଡିକ ଖାଲି ପଡିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ନାନା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଆସିକା ବ୍ଳକ ଓ ଏନ୍ଏସି ଅଧୀନସ୍ଥ ଅଞ୍ଚଳରେ ୧୬ଟି ସରକାରୀ ହାଇସ୍କୁଲ, ୪ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ଓ ୧୩ଟି ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲ ଥିବା ଜଣାପଡିଛି । ଆସିକା ଅଞ୍ଚଳରେ ଥିବା ୧୬ଟି ସରକାରୀ ହାଇସ୍କୁଲ (ମାଧ୍ୟମିକ ବିଦ୍ୟାଳୟ) ମଧ୍ୟରୁ ୫ଟି ସରକାରୀ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ଥିବା ବେଳେ ଅବଶିଷ୍ଟ ୧୧ଟି ସରକାରୀ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଦ୍ୱାରା ବିଦ୍ୟାଳୟ ଚାଲିଥିବା ଜଣାପଡିଛି । ବିଶେଷକରି ଭାରପ୍ରାପ୍ତ ପ୍ରଧାନଶିକ୍ଷକମାନଙ୍କ ଜରିଆରେ ଶିକ୍ଷାବିଭାଗ ପକ୍ଷରୁ କାମ ଚଳାଇନେବାର ପ୍ରୟାସ ଜାରି ରହିଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳର ୧୧ଟି ସରକାରୀ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିଲା ବେଳେ ସେଗୁଡିକୁ ପୂରଣ କରାଯାଉନାହିଁ । ଯାହାରି ଫଳରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଏହିସବୁ ବିଦ୍ୟାଳୟ ପରିଚାଳିତ ହେଉଛି । ଜଣେ ଶିକ୍ଷକ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱରେ ରହିବା ପରେ ସେ ଅଧିକାଂଶ ସମୟରେ ଆବଶ୍ୟକତା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପାଠପଢା କ୍ଷେତ୍ରରେ ଅଧିକ ସମୟ ଦେବା କ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ଅଧିକାଂଶ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଓ ଅନ୍ୟପଟେ କେତେକ ବିଦ୍ୟାଳୟରେ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ପିଲାଙ୍କ ପାଠପଢାରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଥିବା ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ସୋମବାର ଠାରୁ ଛାତ୍ରଛାତ୍ରୀଙ୍କର ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ହୋଇସାରିଥିଲା ବେଳେ ଆଉ ମାତ୍ର କିଛି ମାସ ପରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଆସିକା ଅଞ୍ଚଳରେ ଥିବା ଅଧିକାଂଶ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକଙ୍କ ଠାରୁ ଆରମ୍ଭ କରି ସହକାରୀ ଶିକ୍ଷକ ପଦବୀ ଖାଲି ପଡିଥିଲା ବେଳେ ସେଗୁଡିକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ପିଲାଙ୍କ ପାଠ ପଢା ନେଇ ବହୁ ଅଭିଭାବକ ଚିନ୍ତାରେ ପଡିଯାଇଥିବା ଅଭିଯୋଗ ହେଉଛି । ଖାଲି ପଡିଥିବା ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ପଦବୀ ପୂରଣ ହେଉନଥିବା ଯୋଗୁଁ ପିଲାଙ୍କର କିଭଳି ଭବିଷ୍ୟତ ଉଜ୍ଜଳ ହେବ ତାହା ସହଜରେ ଅନୁମେୟ । ଶିକ୍ଷା ବ୍ୟବସ୍ଥାର ଉନ୍ନତି ସମେତ ଶିକ୍ଷାର ଆଧୁନିକତା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । କିନ୍ତୁ ଆସିକା ବ୍ଳକ ଓ ଏନ୍ଏସି ଅଧୀନସ୍ଥ ଅଧିକାଂଶ ହାଇସ୍କୁଲ ଗୁଡିକରେ ଲାଗି ରହିଥିବା ଶିକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଦିଗରେ ପଦକ୍ଷେପ ନେଉନଥିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାରୀ ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଓ ସମସ୍ତ ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ସହକାରୀ ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।