ବିଦ୍ୟୁତ ତାର ଚୋରି ମାମଲାରେ ସନ୍ଦେହଜନକ ଗାଡିକୁ ଅଟକାଇଲା ପୋଲିସ

ବନ୍ତ, (ଚାନ୍ଦିନୀ ମହାନ୍ତି): ଶୁକ୍ରବାର ସନ୍ଧ୍ୟାରେ ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ଏବଂ ପାଟ୍ରୋଲିଂ ସମୟରେ ଛେନାପଦି ରୋଡ୍ ନିକଟରେ ଓଡି-୩୩-ସି-୭୮୦୭ ନମ୍ବର ବିଶିଷ୍ଟ କାରକୁ ପିଛା କରି ଅଟକାଇଥିଲା। ପୋଲିସକୁ ଦେଖି ସନ୍ଦିଗ୍ଧ ବ୍ୟକ୍ତିମାନେ ଗାଡ଼ିଟିକୁ ରାସ୍ତାରେ ଛାଡି ଦେଇ ପଳାଇ ଯାଇଥିଲେ। ପୋଲିସ ସେମାନଙ୍କୁ ପିଛା କରିବା ସତ୍ତ୍ୱେ ସେମାନେ ଖସିଯିବାରେ ସଫଳ ହୋଇଥିଲେ। ସନ୍ଦିଗ୍ଧ ଅଭିଯୁକ୍ତମାନେ ପଳାଇବା ସମୟରେ ଗାଡ଼ିର ଚାବି ସାଙ୍ଗରେ ନେଇଯାଇଥିବାରୁ ଗାଡ଼ିକୁ ତୁରନ୍ତ ଘୁଞ୍ଚା ଯାଇ ପାରିନଥିଲା। ଛେନାପଦି ଏବଂ ଆପଣ୍ଡା ଅଞ୍ଚଳର ସ୍ଥାନୀୟ ବାସିନ୍ଦାମାନେ ଛେନାପଦିରୁ ଗାଡ଼ିକୁ ଟାଣି ଆଣିବାରେ ପୋଲିସକୁ ସାହାଯ୍ୟ କରିଥିଲେ। ସେମାନଙ୍କର ସହଯୋଗ ପୋଲିସ ଅପରେସନକୁ ବହୁଳ ଭାବରେ ସହାୟତା କରିଥିଲା। ପରିତ୍ୟକ୍ତ ଗାଡ଼ିର ତଲାସି ସମୟରେ ଗୋଟିଏ କଟର ଏବଂ ଗୋଟିଏ ପ୍ଲାର୍ସ ଜବତ କରାଯାଇଥିଲା, ଯାହା ବିଦ୍ୟୁତ୍ ତାର ଚୋରିରେ ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଛି। ଗାଡ଼ିଟି ବନ୍ତ ଥାନା କେସ ନଂ-୨୮୦/୨୬ ସହିତ ଜଡିତ ଥିବା ସନ୍ଦେହ କରାଯାଉଛି। ତଦନ୍ତ ଏବଂ ସୁରକ୍ଷା ଦୃଷ୍ଟିରୁ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ପରିଚୟ ପୋଲିସ ପକ୍ଷରୁ ପ୍ରକାଶ କରାଯାଇନାହିଁ। ଏନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଵା ସହ ଯଥାଶୀଘ୍ର ସନ୍ଦିଗ୍ଧ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ