ମାନବିକତା ଦେଖାଇଲେ ଥାନାଧିକାରୀ, ଥାନା ଗାଡ଼ିରେ ଶବ ବୋହିଲେ
ହାଟଡିହି (ଓ୍ବାଇଏନଏସ): ଯେଉଁ ପୁଲିସକୁ ଦେଖି ଲୋକେ ଡରନ୍ତି, ସେହି ପୁଲିସ ଯେତେବେଳେ ମଣିଷ ଭଳି ବ୍ୟବହାର କରେ, ସେତେବେଳେ ସମସ୍ତେ ପ୍ରଶଂସା କରନ୍ତି । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଠିକ୍ ସେଇଆ ହେଲା l ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି ଥାନା ଗାଡ଼ିରେ ଶବ ବୋହିଲେ। ଏହା କୌଣସି ସିନେମା କାହାଣୀ ନୁହେଁ,ବାସ୍ତବ ଘଟଣା ଅଟେ l ପୁଲିସର ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ l ସୂଚନା ଯୋଗ୍ୟ, ନନ୍ଦିପଦା ଥାନା ଅଧୀନ ଅଁରା ଗ୍ରାମର ପ୍ରଶାନ୍ତ ଜେନାଙ୍କ ପୁଅ ଶାନ୍ତନୁ ଜେନା l ବୟସ ମାତ୍ର ୧୯ ବର୍ଷ। ଗତ ସୋମବାର ତାଙ୍କ ମୃତ ଦେହ ଅଁରା-ବୃନ୍ଦାବନପୁର ରାସ୍ତା ପାର୍ଶ୍ୱରେ ଥିବା ଏକ ଆବର୍ଜନା ଘର ନିକଟରୁ ମିଳିଥିଲା। ୧୯ ବର୍ଷର ଯୁବକର ମୃତ୍ୟୁକୁ ନେଇ ପୁରା ଗାଁ ସ୍ତବ୍ଧ ହୋଇଯାଇଥିଲା l ମୃତ ଶାନ୍ତନୁଙ୍କ ମା ପ୍ରମିଳାଙ୍କ ଅଭିଯୋଗ ପରେ ପୁଲିସ ମାମଲା ନଂ ୪୦୦/୨୦୨୬ ପଞ୍ଜିକରଣ କଲା। କିନ୍ତୁ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ଦାବି ଥିଲା l ପରିବାର ଲୋକ ଓ ଗ୍ରାମବାସୀ ଓରାଳି-ଶାଳଣିଆଁ ରାସ୍ତାର ଅଁରା ଛକ ନିକଟରେ ମୃତଦେହ ରଖି ଟାୟାର ଜାଳି ରାସ୍ତାରୋକ କଲେ। ଘଣ୍ଟା ଘଣ୍ଟା ଧରି ରାସ୍ତା ବନ୍ଦ। ପରିସ୍ଥିତି ତାତି ଉଠୁଥିଲା। ଠିକ ଏତିକି ବେଳେ ଥାନାଧିକାରୀ ଶାନ୍ତି ଘଟଣା ସ୍ଥଳରେ ପହଞ୍ଚି ଥିଲେ l ଅନ୍ୟ ଅଫିସର ହୋଇଥିଲେ ଲାଠି ଚାଳନା କରିଥାନ୍ତେ, ଧମକ ଦେଇଥାନ୍ତେ। କିନ୍ତୁ ଥାନାଧିକାରୀ ଶାନ୍ତି ସେଇଆ କଲେ ନାହିଁ। କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ପରେ ରାସ୍ତା ରୋକ ହଟିଥିଲା l ପୁଅକୁ ହରାଇ ଅସୁସ୍ଥ ହୋଇ ପଡ଼ିଥିବା ମା’-ବାପାଙ୍କୁ ଥାନାଧିକାରୀ ଶାନ୍ତି ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଲେ। ଏଥିସହ ଥାନାଧିକାରୀ ଶାନ୍ତି ନିଜେ ରାସ୍ତାରୋକ ସ୍ଥଳରୁ ଥାନା ଗାଡ଼ିରେ ଶବ ବୋହି ମୃତକଙ୍କ ଗ୍ରାମକୁ ନେଲେ। ଜଣେ ଥାନାଧିକାରୀ ହୋଇ ବି ସେ ଏଥିରେ ଲାଜ କଲେ ନାହିଁ। ଏହି ମାନବିକତା ପରେ ପୁଲିସ ମଙ୍ଗଳବାର ଜଣେ ଅଭିଯୁକ୍ତ ଭୋଳା ଆୟଚକୁ ଗିରଫ କରିଛି l ଏମିତି ଅଫିସର ଥିଲେ ପୁଲିସ ଉପରେ ଭରସା ବଢ଼ିବ ବୋଲି ଅଞ୍ଚଳବାସୀ କହୁଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।


