ବେଆଇନ ବାଲିଘାଟରେ ତହସିଲଦାରଙ୍କ ଅଚାନକ ଚଢ଼ାଉ, ଦୁଇ ଟ୍ରାକ୍ଟର ଜବତ
ନାଉଗାଁ, (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ରୋକିବାକୁ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୁଧବାର ସକାଳେ ନାଉଗାଁ ତହସିଲଦାର ଅକ୍ଷୟ କୁମାର ବଡୁଙ୍କ ନେତୃତ୍ୱରେ ଅଙ୍ଗେଶ୍ୱରପଡ଼ା ବାଲି ସୈରାତରେ ଅଚାନକ ଚଢ଼ାଉ କରାଯାଇ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ସୂଚନା ଅନୁଯାୟୀ, ପ୍ରଶାସନର ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ବାଲି ମାଫିଆମାନେ ଘାଟରୁ ପରିବହନରେ ନିୟୋଜିତ ଗାଡ଼ିଗୁଡ଼ିକୁ ହଟାଇ ନେଉଥିଲେ। ଏହାକୁ ଦୃଷ୍ଟିରେ ରଖି ତହସିଲଦାର ଏକ ଭିନ୍ନ ରଣନୀତି ଆପଣାଇଥିଲେ। ମୁଣ୍ଡରେ ଗାମୁଛା ବାନ୍ଧି ଏକ ବାଇକ୍ରେ ଅଙ୍ଗେଶ୍ୱରପଡ଼ା ବାଲି ସୈରାତରେ ଅଚାନକ ପହଞ୍ଚି ଚଢ଼ାଉ କରିଥିଲେ। ଏହି ସମୟରେ ଘାଟରୁ ବେଆଇନ ଭାବେ ବାଲି ପରିବହନ କରୁଥିବା ଦୁଇଟି ଟ୍ରାକ୍ଟରକୁ ଧରିବାରେ ସଫଳ ହୋଇଥିଲେ। ତେବେ ଟ୍ରାକ୍ଟର ଚାଳକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଚାଳକମାନେ ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ଶରତ ପରିଡ଼ା ନିଜେ ଟ୍ରାକ୍ଟର ଦୁଇଟିକୁ ଥାନାକୁ ଆଣିଥିଲେ। ଏହି ଚଢ଼ାଉରେ ତହସିଲଦାର ଅକ୍ଷୟ କୁମାର ବଡୁଙ୍କ ସହ ଅତିରିକ୍ତ ତହସିଲଦାର ଶରତ ପରିଡ଼ା, ନାଉଗାଁ ଥାନା ଏସ୍ଆଇ ଦୀପାଳି ମାଝୀ ଓ ଏଏସ୍ଆଇ ସାଜିତ ହୁସେନ୍ ଖାନ ସାମିଲ ଥିଲେ। ବେଆଇନ ବାଲି ଉତ୍ତୋଳନ ଓ ପରିବହନ ବିରୋଧରେ ପ୍ରଶାସନର ଏଭଳି ଅଚାନକ ଚଢ଼ାଉକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।


