ଏସସିବି ମେଡିକାଲ କଲେଜ ହସ୍ପିଟାଲକୁ ପାୱାରଗ୍ରୀଡ଼ ପକ୍ଷରୁ ସିଟି ସ୍କାନ ମେସିନ ଓ ଅଲଟ୍ରାସାଉଣ୍ଡ ମେସିନ ପ୍ରଦାନ
କଟକ, (ଓ୍ବାଇଏନଏସ): ପାୱାରଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍, ଓଡ଼ିଶା ପ୍ରୋଜେକ୍ଟସ୍, ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍କୁ ଗୋଟିଏ 64-ସ୍ଲାଇସ୍ ସିଟି ସ୍କାନ ମେସିନ୍ ଏବଂ 2ଟି ଉଚ୍ଚମାନର ରଙ୍ଗୀନ ଡପଲର୍ ଅଲ୍ଟ୍ରାସାଉଣ୍ଡ ସିଷ୍ଟମ୍ ପ୍ରଦାନ କରିଛି। ଏହି ସବୁ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଗୁଡିକର ମୂଲ୍ୟ 28.36 କୋଟି ଟଙ୍କା। ଆଜି ଏସ ସି ବି ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପାୱାରଗ୍ରୀଡ଼ ପକ୍ଷରୁ ଏସସିବି କର୍ତ୍ତୃପକ୍ଷଙ୍କୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ଏସସିବି ମେଡିକାଲ କଲେଜର ଡିନ୍ ଏବଂ ପ୍ରିନ୍ସିପାଲ୍ ପ୍ରଫେସର (ଡକ୍ଟର) ଲୁସି ଦାସ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ପ୍ରଫେସର (ଡକ୍ଟର) ଗୌତମ ଶତପଥୀ, ପ୍ରଫେସର ଏବଂ HOD (ରେଡିଓଲୋଜି) ଡକ୍ଟର ପୂଜା ମିଶ୍ର, ଆକାଉଣ୍ଟସ ଅଧିକାରୀ ଶ୍ରୀ ମାନସ କୁମାର ପାତ୍ର, ପାୱାରଗ୍ରୀଡ୍ ମୁଖ୍ୟ ମହାପ୍ରବନ୍ଧକ (ପ୍ରଭାରୀ)ଓଡ଼ିଶା ପ୍ରୋଜେକ୍ଟ ଶ୍ରୀ ଅଶୋକ କୁମାର ନାୟକ, ମୁଖ୍ୟ ମହାପ୍ରବନ୍ଧକ ଓଡ଼ିଶା ପ୍ରୋଜେକ୍ଟ ଶ୍ରୀ ଜି. ଏସ୍. ଆର. ରାଓ, ସାଧାରଣ ପରିଚାଳକ (ମାନବ ସମ୍ବଳ) ଶ୍ରୀ ଅଜିତ ପରିଡା, ପାୱାରଗ୍ରୀଡ୍ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଏସସିବିର ହସ୍ପିଟାଲ ମ୍ୟାନେଜର ଉପସ୍ଥିତ ଥିଲେ। ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଦୈନିକ 8,000 ରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କରାଯାଇଥାଏ। ଏହି ଉନ୍ନତମେସିନଗୁଡିକ ରୋଗ ନିର୍ଣ୍ଣୟ ସୁବିଧାଗୁଡ଼ିକ ସହ ଯୋଡି ହେବା ସହିତ, ହସ୍ପିଟାଲ ଅଧିକ ସଠିକ୍ ଏବଂ ସମୟୋଚିତ ଚିକିତ୍ସା ପ୍ରଦାନ କରିପାରିବ, ଯାହା ଦ୍ଵାରା ପ୍ରତିଦିନ ହଜାର ହଜାର ରୋଗୀ ଉପକୃତ ହେବେ। ଏହି ପଦକ୍ଷେପ ପାୱାରଗ୍ରୀଡ଼ର ସାମାଜିକ ଦାୟିତ୍ୱ ନିର୍ବାହ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ଏବଂ ରାଜ୍ୟବାସୀଙ୍କ ଜୀବନର ମାନ ଉନ୍ନତ କରିବା ପାଇଁ ନିରନ୍ତର ପ୍ରୟାସକୁ ଦର୍ଶାଏ।