‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ

ବାଲେଶ୍ବର(ସରୋଜ ପଣ୍ଡା): ଓଡିଶା ଦିବସ ଠାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଳିତ ହେଉଥିବା ଓଡିଆ ପକ୍ଷ ଅବସରରେ ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିଶୁଙ୍କ ପାଇଁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବାଲେଶ୍ୱର ସହରର ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସେ ପିଲାଙ୍କୁ ଖଡ଼ି ଧରାଇ ସିଲଟ ପଟାରେ ବିଦ୍ୟା ଆରମ୍ଭ ସହ ସେମାନଙ୍କୁ ସ୍କୁଲ ବ୍ୟାଗ ବଂଟନ କରିଥିଲେ । ଏହି ଭଳି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ସ୍କୁଲରେ ପ୍ରଥମ କରି ପାଦ ଦେଉଥିବା ପିଲାମାନେ ବିଦ୍ୟାଳୟକୁ ଆସିବା ପାଇଁ ଉତ୍ସାହିତ ହେବେ ଏବଂ ସ୍କୁଲରେ ପ୍ରଥମ ଦିନର ଅନୁଭୂତି ଜୀବନବ୍ୟାପୀ ସେମାନଙ୍କ ସ୍ମରଣୀୟ ହୋଇ ରହିବ ବୋଲି ବିଧାୟକ ଶ୍ରୀ ଦତ୍ତ କହିଥିଲେ । ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରକାଶ କରିଥିଲେ । ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଶିଶୁ ବାଟିକାର ଭିତ୍ତିଭୂମୀ ଉପରେ ନୂତନ ପିଢିର ଭବିଷ୍ୟତ ନିର୍ଭର କରୁଛି । ତେଣୁ ପିଲାମାନଙ୍କୁ ସଶକ୍ତ, ଆଧୁନିକ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ଲକ୍ଷ୍ୟ ବୋଲି ରାଜ୍ୟ ସରକାରଙ୍କ ସମସ୍ତ ପଦକ୍ଷେପ ନେଉଥିବା ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ଏହି ଅବସରରେ ଶିଶୁବାଟିକାର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟ ଉପକରଣ ଓ ବ୍ୟବସ୍ଥାକୁ ବିଧାୟକ ଶ୍ରୀ ଦତ୍ତ ବୁଲି ଦେଖିଥିଲେ । ଏହା ସହିତ ‘ସଭିଏଁ ସ୍କୁଲ ଯିବା’ ଓ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ ବିକଶିତ ଓଡିଶା’ ଶୀର୍ଷକ ବାର୍ତ୍ତାକୁ ନେଇ ଏକ ସଚେତନତା ରଥକୁ ପତାକା ଦେଖାଇ ସେ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ପୌର ପରିଷଦର କାଉନସିଲର ପ୍ରୀତିଲତା ସେଠୀ, ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ବସନ୍ତ କୁମାର ନାୟକ ସଦର ବ୍ଲକ ବିଇଓ ଶ୍ରୀ ଜଗନେଶ୍ୱର ଜେନାଙ୍କ ସହ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସଂଖ୍ୟାଧିକ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ