ବିଜ୍ଞାନ ସେମିନାରରେ ପ୍ରଜ୍ଞାଙ୍କ ପ୍ରତିଭାର ଚମକ, ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ
କୋରାପୁଟ, ୦୭/୦୯/୨୬ (ହେମନ୍ତ ପାଣିଗ୍ରାହୀ) : ବିଜ୍ଞାନର ଜଟିଳ ଦୁନିଆକୁ ନିଜ ପ୍ରତିଭା ଓ ଚିନ୍ତନଶକ୍ତିରେ ସରଳ ଭାବେ ଉପସ୍ଥାପନ କରି କୋଟପାଡ଼ର ଗୌରବ ବଢ଼ାଇଛନ୍ତି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞା ପ୍ରଯାକ୍ତା ମିଶ୍ର। ବ୍ଲକସ୍ତରୀୟ ବିଜ୍ଞାନ ସେମିନାରରେ ଶ୍ରେଷ୍ଠ ପ୍ରଦର୍ଶନ କରି ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ନିଜ ଜ୍ଞାନ, ଯୁକ୍ତି ଓ ଉପସ୍ଥାପନାର ଚମତ୍କାର ସମନ୍ୱୟ ଦେଖାଇ ପ୍ରଜ୍ଞା ବିଚାରକମଣ୍ଡଳୀଙ୍କ ମନ ଜିଣିଥିଲେ। ତାଙ୍କର ଏହି ସଫଳତା ତାଙ୍କୁ ବ୍ଲକର ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଜିଲ୍ଲାସ୍ତରୀୟ ପର୍ଯ୍ୟାୟକୁ ନେଇଯାଇଛି। ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସେ କୋଟପାଡ଼ ବ୍ଲକର ପ୍ରତିନିଧିତ୍ୱ କରିବେ। ଏହି ବ୍ଲକସ୍ତରୀୟ ବିଜ୍ଞାନ ସେମିନାରରେ କୋଟପାଡ଼ ବ୍ଲକର ୧୪ଟି ବିଦ୍ୟାଳୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୋଟପାଡ଼ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସବିତା ରାଣୀ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସ୍ଥାନୀୟ କୋଟପାଡ଼ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଭାଗର ଅଧ୍ୟାପିକାମାନଙ୍କୁ ସର୍ବସମ୍ମତିକ୍ରମେ ବିଚାରକ ଭାବେ ଦାୟିତ୍ୱ ଦିଆଯାଇଥିଲା। ପ୍ରଜ୍ଞାଙ୍କ ଏହି ସଫଳତା ବିଦ୍ୟାଳୟ ପରିସରରେ ଆନନ୍ଦର ଲହରୀ ଖେଳାଇଛି। ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ ଓ ଅଭିଭାବକମାନେ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାସ୍ତରରେ ମଧ୍ୟ ସେ ନିଜ ପ୍ରତିଭାର ଆଲୋକ ବିଛୁରିତ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।


