ରିଙ୍ଗରୋଡ଼ ନିର୍ମାଣ ପାଇଁ ସରିଲା ପ୍ରାଥମିକ ସର୍ଭେ
ବାଲେଶ୍ବର: ସଂପ୍ରସାରିତ ବାଲେଶ୍ୱର ସହରର ବର୍ଦ୍ଧିତ ଲୋକସଂଖ୍ୟା ଓ ଯାନବାହାନ ସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସହର ଚତୁଃପାଶ୍ୱର୍ରେ ପ୍ରସ୍ତାବିତ ରିଙ୍ଗରୋଡ଼ ନିର୍ମାଣ ପ୍ରକଳ୍ପ ପ୍ରସ୍ତାବ ୨୦୧୬ ମସିହାରେ ପୂର୍ବ ସରକାରଙ୍କ ଅନୁମୋଦନ ପାଇବା ସହ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ପ୍ରଶାସନ ସମେତ ପୂର୍ତ୍ତ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ ପ୍ରଭୃତି ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଏକ କମିଟି ଦ୍ୱାରା ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ନୁଣିଆଯୋଡ଼ି ଠାରୁ ସହର ଉପକଣ୍ଠ ଦେଇ ମୋଟ ୨୭ କିଲୋମିଟର ଲମ୍ବର ରାସ୍ତା ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ସେତେବେଳେ କୁହାଯାଇଥିଲା । ରିଙ୍ଗରୋଡ଼ ନିର୍ମାଣ ହେଲେ ବାଲେଶ୍ୱର ସହରର ଟ୍ରାଫିକ୍ ସମସ୍ୟା ଦୂର କରିବା ସହିତ ଆର୍ଥିକ ବିକାଶ କ୍ଷେତ୍ରରେ ଏକ ଜୀବନ ରେଖା ଭାବେ ସାବ୍ୟସ୍ତ ହେବ ବୋଲି ଯୁକ୍ତି ଦର୍ଶାଯାଇଥିଲା । ମାତ୍ର ବିଗତ ୯ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ର ଦୂରର କଥା ସର୍ଭେ କାର୍ଯ୍ୟ ମଧ୍ୟ ଶେଷ ହୋଇ ପାରି ନଥିଲା । ବାଲେଶ୍ୱରବାସୀଙ୍କ ପାଇଁ ଏହି ପ୍ରକଳ୍ପ ବାସ୍ତବତାର ରୂପ ନେବା ପରିବର୍ତ୍ତେ କେବଳ ସ୍ୱପ୍ନରେ ସୀମିତ ହୋଇଯାଇଥିଲା । ତେବେ ରାଜ୍ୟରେ ନୂତନ ସରକାର ଗଠନ ପରେ ରିଂ ରୋଡ ପ୍ରକଳ୍ପକୁ ପୁଣି ଥରେ ବାସ୍ତବତାରେ ରୁପ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ପୂର୍ବ ସରକାରଙ୍କ ଅନୁମୋଦନ ଉପରେ ରାଜ୍ୟରେ ଶାସନ ଭାର ନେଇଥିବା ନୂତନ ସରକାରଙ୍କ ଦୃଷ୍ଟିଭଙ୍ଗୀ ଏବଂ ପ୍ରକଳ୍ପର ବାସ୍ତବିକ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଗତ ବର୍ଷ ଡିସେମ୍ବର ୭ ତାରିଖ ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ ଉତ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଖର୍ଚ୍ଚ ଅଟକଳ ସମ୍ପର୍କରେ ସମ୍ପୂର୍ଣ ତଥ୍ୟ ସହିତ ପ୍ରସ୍ତାବିତ ରାସ୍ତାର ଆରମ୍ଭ ଓ ଶେଷ ସ୍ଥାନ ଚିହ୍ନିତ ନକ୍ସା ଏବଂ ସମ୍ପୂର୍ଣ୍ଣ ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର) ପ୍ରଦାନ ପାଇଁ ସେ ନିବେଦନ କରିଥିଲେ । ସେତେବେଳେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ୨୦୨୪-୨୫ ଆର୍ôଥକ ବର୍ଷରେ ରାଜ୍ୟ ଯୋଜନା ଅନ୍ତର୍ଗତ ବାଲେଶ୍ୱର ରିଂ ରୋଡ ପ୍ରକଳ୍ପର ବିସ୍ତୃତ ସର୍ଭେ ପାଇଁ ସରକାରଙ୍କ ପକ୍ଷରୁ ପ୍ରତୀକ ଅନୁଦାନ ବ୍ୟବସ୍ଥା କରାଯାଇଛି । ଏହା ସହିତ ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର) ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ପରାମର୍ଶଦାତା ଚୟନ ନିମନ୍ତେ ଟେଣ୍ଡର ପ୍ରକ୍ରିୟାର ପ୍ରସ୍ତୁତି କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ । ତେବେ ଇତି ମଧ୍ୟରେ ରିଙ୍ଗରୋଡ ନିର୍ମାଣକୁ ବାସ୍ତବ ରୂପ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରାଥମିକ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ପ୍ରସ୍ତାବିତ ରିଙ୍ଗରୋଡର ବିଭିନ୍ନ ପଏଂଟ ଯଥା, ପାତ୍ରପଡା, ବଇଁଚା, ବୁଆଁଳ, କସମିଳା ଓ ନୁଣିଆଯୋରୀ ପ୍ରଭୃତି ସ୍ଥାନରେ ଆନ୍ତଃର୍ବିଭାଗୀୟ ପ୍ରାଥମିକ ସର୍ଭେ କରାଯାଇଛି । ସଦର ବିଧାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତାଙ୍କ ସହ ସଦର ତହସିଲଦାର, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଓ ଏସଡିଓ ପ୍ରମୁଖ ପ୍ରସ୍ତାବିତ ରିଙ୍ଗରୋଡ ନିର୍ମାଣର ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରିଙ୍ଗରୋଡ ପାଇଁ ପ୍ରାଥମିକ ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଖୁବଶୀଘ୍ର ଏହାର ଡିପିଆର ପ୍ରସ୍ତୁତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ କହିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାଲେଶ୍ୱର ସହରରେ ଟ୍ରାଫିକ ସମସ୍ୟା ନିରାକରଣ ସହ ବନ୍ୟା ନିୟନ୍ତ୍ରଣ ପାଇଁ ସୁବିଧା ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ରାଜ୍ୟରେ ପରିଚାଳିତ ଲୋକଙ୍କ ସରକାର ସର୍ବଦା ଲୋକଙ୍କ ସହ ଥିବା ବେଳେ ଲୋକଙ୍କ ପ୍ରତ୍ୟେକ ଆଶା ଓ ଆକାଂକ୍ଷା ପୂରଣ ପାଇଁ ସର୍ବଦା ଉଦ୍ୟମରତ ରହିଛନ୍ତି ବୋଲି ସେ କହିଛନ୍ତି ।


