ହାଇସ୍କୁଲରେ କମିଟି ଗଠନ ପରେ ବି ହୋଇନି ସଭାପତି ଚୟନ, ବିଇଓଙ୍କୁ ଦରଖାସ୍ତ
ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବଛାଳୋ ପଞ୍ଚାୟତସ୍ଥିତ ବଛାଳୋ ଉନ୍ନତି ହାଇସ୍କୁଲରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହେବାର ଦେଢ଼ ମାସରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଭାପତି ଚୟନ ହୋଇନଥିବା ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ଅଭିଭାବକମାନେ ତୁରନ୍ତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚୟନ ଦାବିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ନାଉଗାଁ ବ୍ଲକ୍ ଶିକ୍ଷାଧୀକାରୀ ଙ୍କୁ ଏକ ଦରଖାସ୍ତ ଦେବା ସହିତ ଏହାର ନକଲ ଜଗତସିଂହପୁର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଯଦି ୭ଦିନ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚୟନ କରା ନ ଯାଏ ବାଧ୍ୟ ହୋଇ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ବିଦ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ସଭ୍ୟ ଦୀପକ କୁମାର ଲେଙ୍କା , ଗୋବିନ୍ଦ ବାଉତ, କଣ୍ଢେଇ ବାଉତ, ପପାଲୀ ଲେଙ୍କା , ବଟ ମଲ୍ଲିକ , କାଦମ୍ବିନୀ ପରିଡା , ଗୀତାଞ୍ଜଳି ଦାସ , ସୁଚିତ୍ରା ନାୟକ , ଲିଟୁନା କାଣ୍ଡି , ଗୌତମ ମହାପାତ୍ର , ରଞ୍ଜନ ପରିଡା , ସରସ୍ବତୀ ଭୋଇ , ରୋଜାଲିନ ଲେଙ୍କା ପ୍ରମୁଖ ଅଭିଯୋଗ ମାଧ୍ୟମରେ ଚେତାବନୀ ଦେଇଛନ୍ତି। ଗତ ଜୁଲାଇ ୨୯ ତାରିଖରେ ବିଦ୍ୟାଳୟର ୧୬୫ ଜଣ ଅଭିଭାବକଙ୍କ ମଧ୍ୟରୁ ୧୦୯ଜଣଙ୍କ ଉପସ୍ଥିତିରେ ସିଆରସିସି, ନାଉଗାଁ ଥାନା ଆଇଆଇସି ଓ ବିଇଓ କାର୍ଯ୍ୟାଳୟର ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ୧୫ ଜଣ ସଭ୍ୟ ଚୟନ କରାଯାଇଥିଲା। ତେବେ ଏହା ପରେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ସଭାପତି ଚୟନ ନହେବାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ନାଉଗାଁ ବିଇଓ ଦିଲ୍ଲୀପ କୁମାର ବଡ଼ପଣ୍ଡାଙ୍କୁ ପଚାରିବାରୁ ବିଦ୍ୟାଳୟ ପରିଚାଳନା କମିଟି ଗଠନକୁ ନେଇ ଦୁଇଟି ଅଭିଯୋଗ ଆସିଥିବା କହିଥିଲେ। ଅଭିଯୋଗଗୁଡ଼ିକର ତଦନ୍ତ କରାଯାଇ ଖୁବ୍ଶୀଘ୍ର ସମାଧାନ କରି କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି। ସେହିପରି ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଇ ଚରଣ ତ୍ରିପାଠୀ କହିଛନ୍ତି ଯେ, କମିଟି ଗଠନର ଦେଢ଼ ମାସରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ଏହାକୁ ସ୍ୱୀକୃତି ମିଳିନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଉପରିସ୍ଥ ଅଧିକାରୀ ଏହାର ତଦନ୍ତ କରି ତୁରନ୍ତ ସମାଧାନ କରିବାକୁ ସେ ବିଇଓଙ୍କୁ ଅନୁରୋଧ କରିଥିବା କହିଛନ୍ତି ।


