ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତ୍ବର

ରାୟଗଡା (ୱାଇ ଏନ ଏସ): ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାର ଟେକ୍କାଲି ମଣ୍ଡଳ ଅନ୍ତର୍ଗତ ରବିଭଲସା ନିକଟରେ ବୁଧବାର ଦିନ ମର୍ମନ୍ତୁଦ ଟ୍ରେନ  ଦୁର୍ଘଟଣାରେ ୪ ଜଣ ଛାତ୍ର ପ୍ରାଣ ହରାଇଛନ୍ତି। ରାଉରକେଲା ରୁ ଗୁଣପୁର ଅଭିମୁଖେ ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ୍‌ ଟ୍ରେନ ଧକ୍କାରେ ଘଟଣାସ୍ଥଳରେ ୪ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ବ୍ୟକ୍ତିକୁ ପୁଲିସ ଶ୍ରୀକାକଲମ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ମୃତକମାନେ ହେଲେ ବିଶାଖ ରାଓ, ଦିଲୀପ କୁମାର, ଶିବା ଓ ଶରତ। ଆହତ ଯୁବକଙ୍କ ନାମ ସଲମନ ରଜୁ ବୋଲି ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତାହତମାନେ ଟେକ୍କାଲି ନିକଟସ୍ଥ ଡାମାରା ଓ ମେଳିଆପୁଟି ଅଞ୍ଚଳର ବାସିନ୍ଦା। ସେମାନେ ଟେକିଲି ଯୁକ୍ତ ୨ ଜୁନିୟର କଲେଜରେ  ଅଧ୍ୟୟନ କରୁଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି  ହଷ୍ଟେଲରେ ରହୁଥିଲେ ବୋଲି ଶ୍ରୀକାକଲମ ଜିଲ୍ଲା ଏସ ପି କେ ଭି ମହେଶ୍ବର ରେଡି ସୂଚନା ଦେଇଛନ୍ତି। ବୁଧବାର ସେମାନେ ରେଳ ଧାରଣା ନିକଟକୁ ମାଛ ଧରିବାକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି। ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ରାଉରକେଲାରୁ ଗୁଣପୁର ଅଭିମୁଖେ ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ୍‌ ଟ୍ରେନ ଉକ୍ତ ସ୍ଥାନ ଦେଇ ଯାଉଥିବାବେଳେ ରେଳ ଧାରଣା ନିକଟରେ ଥିବା ୫ ଜଣଙ୍କୁ ଧକ୍କା ଦେଇଥିଲା। ଟ୍ରେନ୍‌ ଧକ୍କାରେ ୪ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସଲମନ ରାଜୁ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ପାଇ ପୁଲିସ ଓ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତକ ଏବଂ ଗୁରୁତର ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି।  ମୃତକଙ୍କ ପରିଚୟ ନିଶ୍ଚିତ କରିବା ସହ ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି। ହଷ୍ଟେଲରେ ରହୁଥିବା ଏହି ଛାତ୍ରମାନେ କାହିଁକି ରେଳ ଧାରଣା ନିକଟକୁ ଯାଇଥିଲେ ଏବଂ ଦୁର୍ଘଟଣା ସମୟରେ ସେମାନଙ୍କ ଠିକ୍‌ ସ୍ଥିତି କ’ଣ ଥିଲା, ତାହା ନେଇ ମଧ୍ୟ ପୁଲିସ ତଦନ୍ତ କରୁଛି। ଘଟଣାକୁ ନେଇ ଡାମାରା ଅଞ୍ଚଳ ଓ ହଷ୍ଟେଲରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାରେ କେନ୍ଦ୍ର ବିମାନ ଚଳାଚଳ ଉନ୍ନୟନ ମନ୍ତ୍ରୀ ରାମ ମୋହନ ରାଓ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ