ଜନ ଅଭିଯୋଗ ଶୁଣାଣି ଶିବିର
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଜିଲା ପ୍ରଶାସନ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୧୦୪ଟି ଅଭିଯୋଗ ଫଜିକୃତ ହୋଇଥିଲା । ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୬ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୯୮ଟି ରହିଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ସଂପର୍କୀୟ ୧୮ଟି, ଜମିଜମା ସମସ୍ୟା ସଂପର୍କୀୟ ୧୨ଟି, ପୋଲିସ ସହାୟତା ପାଇଁ ୪ଟି, ରାସନ କାର୍ଡ ସମସ୍ୟା ସଂପର୍କୀୟ ୩ଟି, ଭତା ପାଇବା ପାଇଁ ୧ଟି ଏବଂ ଅନ୍ୟାନ୍ୟ ୨୦ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରୁ ୪୦ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଅଭିଯୋଗ ଗୁଡିକ ମଧ୍ୟରେ ଥିଲା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିବା ପାଇଁ ମହାବିଦ୍ୟାଳୟର ନବ ନିର୍ବାଚିତ ସଭାପତି ଦେବୀ ପ୍ରସାଦ ନାୟକ, ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ ନାୟକ, ତୁଷାର ରଂଜନ ପରିଡା, ଅଜୟ ରାଉଳ ଆଦି ଅଭିଯୋଗ କରିଥିଲେ।ଅଲଣା ପଂଚାୟତର ନହଡିପଡା ଗ୍ରାମରେ ଥିବା ସରକାରୀ ଜାଗାକୁ ବିନିଯୋଗ କରି ଆଗାମୀ ଦିନରେ ସରକାର ଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନିର୍ମାଣ କରବାକୁ ଗ୍ରାମର ଶଶୀକାନ୍ତ ବାରିକ, ଅଶୋକ କୁମାର ମହାନ୍ତି, ପିଣ୍ଟୁ ବାଣୁଆ, ଲିଙ୍କନ ବାଣୁଆ, ଆଦି ଅଭିଯୋଗ କରିଛନ୍ତି ।ଅଲଣାହାଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୫ଟି ପଂଚାୟତବାସୀ ନିର୍ଭର କରୁଥିବା ବେଳେ ଆବଶ୍ୟକ ଗୃହ ନଥିବାରୁ ରୋଗୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ତେଣୁ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ଗୃହ ନିର୍ମାଣ ସହିତ ବାହ୍ୟ ଆଲୋକିକରଣ ପାଇଁ ସ୍ଥାନୀୟ ଅଂଚଳର କେଶବ ଚନ୍ଦ୍ର ରାଉତ, ସୁଧାଂଶୁ ପାଢୀ, ବିଜୟ କୁମାର ମୁଦୁଲି ଆଦି ଅଭିଯୋଗ କରିଥିଲେ । ଭିବି-ବି-ରାମ-ଜି କାର୍ଯ୍ୟରେ ଅନିୟମିତତା ହେଉଥିବା ବେଳେ ଅଧିକାରୀ ଉପସ୍ଥିତ ନ ରହି ମେସିନ ମାଧ୍ୟମରେ କାର୍ଯ୍ୟ କରାଯାଉଥିବା ଘୋଡାଂଶ ପଂଚାୟତର ସଂସାଇଲୋ ଓ ତୋଟାପାଟଣା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉକ୍ତ ବ୍ଲକରେ କାର୍ଯ୍ୟ କରୁଥିବା ସ୍ବାବଲମ୍ବୀ କାରିଗରମାନଙ୍କୁ ଦୀର୍ଘ ସାତ ମାସ ହେବ ପାରିଶ୍ରମିକ ମିଳି ନାହିଁ । ଯାହାଫଳରେ ସେମାନେ ଦୈନଦିନ ଚଳିବା କଷ୍ଟ ସାଧ୍ୟ ହୋଇ ପଡ଼ିଛି । ଯଦି ୧୫ ଦିନ ମଧ୍ୟରେ ତାଙ୍କୁ ତାଙ୍କର ପାରିଶ୍ରମିକ ନମିଳେ ତେବେ ସେମାନେ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେବା ସହ ଉକ୍ତ ପ୍ରସଙ୍ଗକୁ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, , ଜିଲ୍ଲା ପରିଷଦର ମୂଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ ପିଲ୍ଲେ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଏସଡିପିଓ ଦିବ୍ୟରଞ୍ଜନ ନାଥ, ବିଡିଓ ନିରଞ୍ଜନ ପରିଡା, ତହସିଲଦାର ଅକ୍ଷୟ କୁମାର ବଡୁଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ ।


