ଅବହେଳିତ ଅବସ୍ଥାରେ ବିନାୟକ ବଜାର ଅଞ୍ଚଳ ସୁଲଭ ଶୌଚାଳୟ
ଆସିକା (ୱାଇଏନ୍ଏସ୍) :ଆସିକା ପୌର ପରିଷଦ ପରିସରଭୁକ୍ତ ୧୩ ନମ୍ବର ୱାର୍ଡ ଅଧୀନସ୍ଥ ବିନାୟକ ବଜାର ଓ ଲକ୍ଷ୍ମୀବଜାର ଅଞ୍ଚଳ ସଦାସର୍ବଦା ବ୍ୟସ୍ତବହୁଳ ଓ ଜନଗହଳିପୂର୍ଣ୍ଣ ରାସ୍ତା ହେବା ସାଙ୍ଗକୁ ସହରର ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ରୂପେ ପରିଚିତ ହୋଇଆସିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହ ଶହ ଜନତା ବ୍ୟବସାୟ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲକ୍ଷ୍ମୀବଜାର-ବିନାୟକ ବଜାର ଅଞ୍ଚଳକୁ ଦୈନିକ ଆସିଥାନ୍ତି । ତେବେ ଦେଶ ସ୍ୱାଧୀନତାର ୭୯ ବର୍ଷ ପରେ ବି ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ବିନାୟକ ବଜାରର ମୁଖ୍ୟରାସ୍ତା ଅବହେଳିତ ହୋଇପଡିଥିବା ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ସ୍ୱାୟତ୍ତ ଶାସନ ବ୍ୟବସ୍ଥା ମାଧ୍ୟମରେ ସହରାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଥିଲା ବେଳେ ଦେଶ ସ୍ୱାଧୀନତାର ୭୯ ବର୍ଷ ଓ ଆସିକା ଏନ୍ଏସି ଗଠନର ୬୮ବର୍ଷ ପରେ ବି ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ବିନାୟକ ବଜାର ଅଞ୍ଚଳରେ ଏନ୍ଏସି ପକ୍ଷରୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ସୁଲଭ ଶୌଚାଳୟଟିଏ ନିର୍ମାଣ କରିବା ସମ୍ଭବପର ହୋଇନଥିବାରୁ ସାଧାରଣରେ କ୍ଷୋଭ, ଅସନ୍ତୋଷ ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଗୋଟିଏ ପଟେ ଆସିକା ପୌର ପରିଷଦର ୧୩ ନମ୍ବର ୱାର୍ଡର ବିନାୟକ ବଜାର ଅଞ୍ଚଳରେ ଶୌଚାଳୟଟିଏ ନଥିବା ବେଳେ ଅନ୍ୟପଟେ ବହୁ ବ୍ୟକ୍ତିଙ୍କ ମଧ୍ୟରେ ମାନସିକତାରେ ପରିବର୍ତ୍ତନ ଆସୁନଥିବା ଯୋଗୁଁ ଖୋଲାମେଲା ସ୍ଥାନରେ ସୁବିଧା ସୁଯୋଗ ଦେଖି ରାସ୍ତା ପାଶ୍ୱର୍ରେ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି । ଉକ୍ତ ବିନାୟକ ବଜାର ଅଞ୍ଚଳରେ ଶୌଚାଳୟ ଓ ପରିସ୍ରାଗାର ନଥିବାରୁ ଆବଶ୍ୟକତା ସମୟରେ ବହୁ ସଚେତନ ନାଗରିକ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଆସିକା ପୌର ପରିଷଦ ଅଧୀନସ୍ଥ ବିନାୟକ ବଜାର ଅଞ୍ଚଳରେ ବ୍ୟବସାୟିକ ସଂସ୍ଥା, ବ୍ୟାଙ୍କ, ଘରୋଇ ଶିକ୍ଷାନୁଷ୍ଠାନ ସମେତ ବହୁ ସଂସ୍ଥା ଖୋଲିଥିଲା ବେଳେ ଦୈନିକ ଶହ ଶହ ବ୍ୟକ୍ତି ଉକ୍ତ ଅନୁଷ୍ଠାନକୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଜଣାପଡିଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ବିନାୟକ ବଜାର ଅଞ୍ଚଳରେ ଶୌଚାଳୟ ଓ ପରିସ୍ରାଗାର ନଥିବା ଯୋଗୁଁ ଗୋଟିଏ ସ୍ଥାନରେ ଏକାଧିକ ବ୍ୟକ୍ତି ପରିସ୍ରା କରିବା ଫଳରେ ମୁତ୍ରାଶୟଜନିତ ରୋଗରେ ମଧ୍ୟ ବହୁ ବ୍ୟକ୍ତି ଆକ୍ରାନ୍ତ ହେଉଥିବା ଆଲୋଚିତ ହେଉଛି । ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ବିନାୟକ ବଜାର ଅବହେଳିତ ହୋଇପଡିଛି ବୋଲି ଆଲୋଚିତ ହେଉଛି । ଆସିକାର ପ୍ରାକ୍ତନ ନଗରପାଳ ଟି.ଦୀନଦୟାଲୁ ପାତ୍ର ଓ ପୂର୍ବତନ ଉପନଗରପାଳିକା ସ୍ୱର୍ଗତା ସ୍ୱରୂପାରାଣୀ ରାଉତଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ ଆସିକା ସହରର ୧୩ ନମ୍ବର ୱାର୍ଡର ଲକ୍ଷ୍ମୀ ବଜାର ଅଞ୍ଚଳରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ସ୍ଥାପିତ ହୋଇଥିବା ଜନତା ଶୌଚାଳୟକୁ ଗତ ୨୦୦୦ ମସିହା ଅକ୍ଟୋବର ମାସ ୨ ତାରିଖରେ ତତ୍କାଳୀନ ଆସିକା ବିଧାୟକ ଦେବରାଜ ମହାନ୍ତିଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା ତେବେ ଉକ୍ତ ଜନତା ଶୌଚାଳୟ କିଛି ବର୍ଷ ଚାଲିବା ପରେ ବନ୍ଦ ହୋଇଯାଇଥିବା ଜଣାପଡିଛି । ଆସିକା ସହରର ଅନ୍ୟତମ ଜନଗହଳିପୂର୍ଣ୍ଣ ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଅଞ୍ଚଳରେ ପରିସ୍ରାଗାର ଓ ଶୌଚାଳୟ ନଥିବାରୁ ବିଶେଷକରି ମହିଳାମାନେ ଆବଶ୍ୟକତା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଅଞ୍ଚଳରେ ଭାଗ୍ୟ କେବେ ବଦଳିବ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଅଞ୍ଚଳକୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ସାଧାରଣ ଜନତାଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଯୁଦ୍ଧକାଳୀନ ଭିତ୍ତିରେ ମୋବାଇଲ୍ ଟୟଲଟ୍ କିମ୍ବା ଅସ୍ଥାୟୀ ପରିସ୍ରାଗାର ସ୍ଥାପନ କରିବା ଦିଗରେ ପଦକ୍ଷେପ ନେବାକୁ କାଉନସିଲର ନିଗମାନନ୍ଦ ରାଉତ, ଶିକ୍ଷାବିତ୍ ପ୍ରସନ୍ନ କୁମାର ତ୍ରିପାଠୀ, ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ ଓ ଏମ୍.ତାରିଣୀ ସେନାପତି, ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା ଏବଂ ଶିବପ୍ରସାଦ ଶତପଥୀ ଓ କେଶବ ଦାଶ ପ୍ରମୁଖ ଅନୁରୋଧ କରିଛନ୍ତି ।


