ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ମନୋନୀତ
ରାଇକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ) : କନ୍ଧମାଳ ଜିଲ୍ଲା ରାଇକିଆ ଗ୍ରାମପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ନାୟକଙ୍କୁ କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟ ନେତୃତ୍ଵ ଡ଼. ଐଶ୍ଚର୍ଯ୍ୟା ବିଶ୍ଵାଳ ଏବଂ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶିମାଝୀଙ୍କ ଅନୁମୋଦନ କ୍ରମେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଉର୍ବଶୀ ଦିଗାଲ ନୂତନ କମିଟି ତାଲିକା ଘୋଷଣା କରିଛନ୍ତି। ଏହି ନୂତନ କମିଟିରେ ରାଇକିଆ ଅଞ୍ଚଳରୁ ସରପଞ୍ଚ ଶ୍ରୀମତୀ ନାୟକଙ୍କୁ ଗୁରୁତ୍ଵପୂର୍ଣ୍ଣ ସାଧାରଣ ସମ୍ପାଦିକା ଦାୟିତ୍ୱ ପ୍ରଦାନ କରାଯାଇଛି। ଗୀତାଞ୍ଜଳି ନାୟକ ଦାୟିତ୍ୱ ପାଇବା ପରେ ସ୍ଥାନୀୟ ଅଞ୍ଚଳ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଆଗାମୀ ଦିନରେ ରାଇକିଆ ତଥା ସମଗ୍ର କନ୍ଧମାଳ ଜିଲ୍ଲାରେ ମହିଳା ସଂଗଠନକୁ ସୁଦୃଢ଼ କରିବା ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ସ୍ଥାନୀୟ ନେତୃବୃନ୍ଦ ଆଶା ବ୍ୟକ୍ତ କରିଛନ୍ତି।


