ନଡପୁର ପଞ୍ଚାୟତରେ ଫଲ୍ସ ବିଲ୍ ହୋଇଥିବା  ଅଭିଯୋଗ: ତଥ୍ୟ ଲୁଚାଉଛି ବ୍ଲକ୍ ପ୍ରଶାସନ

ବେତନଟୀ (ଉଦିତ କୁମାର ପରିଡା) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ନଡପୁର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସିଳପୁରିଆ ଓ ଟିକରଗଡିଆ ପ୍ରାଥମିକ ବିଦ୍ୟାଳୟରେ ସୋଲାର ପ୍ୟାନେଲ, ୱାଟର ସପ୍ଲାଏ ସିଷ୍ଟମ, ପାଇପ୍‌ ଲାଇନ୍‌ ଏବଂ ଓଭରହେଡ୍‌ ଟ୍ୟାଙ୍କ ସ୍ଥାପନା ନାଁରେ ମିଛ ବିଲ୍‌ କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ସମାଜସେବୀ ତଥା ଚାଷୀ ନେତା ପ୍ରଶାନ୍ତ କରଣ ଏହି ଦୁର୍ନୀତି ବିରୋଧରେ ସୂଚନା ଅଧିକାର ଆଇନ ( ଆର ଟି ଆଇ) ମାଧ୍ୟମରେ ସତ ସାମ୍ନାକୁ ଆଣିବା ପାଇଁ ଲଢେଇ ଜାରି ରଖିଛନ୍ତି। ଅଭିଯୋଗ ଅନୁଯାୟୀ, ଉକ୍ତ ଦୁଇଟି ସ୍କୁଲରେ ପୂର୍ବରୁ ପାଇପ୍‌ ଲାଇନ୍‌, ୱାଟର ୱାରିଂ, ବୋରିଂ ଓ ଓଭରହେଡ୍‌ ଟ୍ୟାଙ୍କ ସ୍ଥାପନା ହୋଇସାରିଥିଲା। କେବଳ ୩ଟି ସୋଲାର ପ୍ୟାନେଲ, ଗୋଟିଏ ଇନଭର୍ଟର ଓ ଗୋଟିଏ ବ୍ୟାଟେରୀ ଲଗାଇ ୩.୫ ଲକ୍ଷ ଟଙ୍କା ବିଲ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅନିୟମିତତା ସମ୍ପର୍କରେ ଜାଣିବା ପରେ ପ୍ରଶାନ୍ତ କରଣ ନଡପୁର ଗ୍ରାମ ପଞ୍ଚାୟତ ଅଫିସ୍‌ରେ ପଚାରିବୁଝି ଥିଲେ, କିନ୍ତୁ ସନ୍ତୋଷଜନକ ଉତ୍ତର ମିଳିନଥିଲା। ଏହାପରେ ସେ ବେତନଟୀ ବ୍ଲକ ଅଫିସରେ ଯୋଗାଯୋଗ କରିଥିଲେ, କିନ୍ତୁ ସେଠାରୁ ମଧ୍ୟ କୌଣସି ସ୍ପଷ୍ଟ ତଥ୍ୟ ମିଳିନଥିଲା। ଏହି ଅନିୟମିତତାର ତଦନ୍ତ ପାଇଁ ପ୍ରଶାନ୍ତ କରଣ ୧୮ ନଭେମ୍ବର ୨୦୨୨ରେ ଆର ଟି ଆଇ ମାଧ୍ୟମରେ ସୂଚନା ମାଗିଥିଲେ, କିନ୍ତୁ କୌଣସି ସୁଫଳ ମିଳିନଥିଲା। ପରେ ୨୨ ଫେବୃଆରୀ ୨୦୨୩ରେ ସେ ପ୍ରଥମ ଅପିଲ ଦାଖଲ କରିଥିଲେ, ତଥାପି ବ୍ଲକ ପ୍ରଶାସନ କୌଣସି ତଥ୍ୟ ଯୋଗାଇ ନଥିଲା। ବାଧ୍ୟ ହୋଇ ସେ ଦ୍ୱିତୀୟ ଅପିଲ କରିଥିଲେ। ଏହାର ଫଳସ୍ୱରୂପ, ୨୧ ଜୁନ ୨୦୨୫ରେ ଭୁବନେଶ୍ୱରସ୍ଥିତ ତସାଳି ଭବନରୁ ଚିଠି ନମ୍ବର ୭୧୭/୨୩ ମାଧ୍ୟମରେ ବାରିପଦାର ଏନ ଆଇ ସି ଅଫିସ୍‌ରେ ଭର୍ଚୁଆଲ ଶୁଣାଣି ୦୯/୦୭/୨୦୨୫ ରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣିରେ ବେତନଟୀ ବ୍ଲକର ସହକାରୀ ବ୍ଲକ ଡେଭେଲପମେଣ୍ଟ ଅଫିସର (ଏ ବି ଡି ଓ) ଗଗନ ବେହେରା ଉପସ୍ଥିତ ରହି ବ୍ଲକର ପକ୍ଷ ରଖିଥିଲେ। ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ବେତନଟୀ ବ୍ଲକ କୌଣସି ସୂଚନା ଯୋଗାଇ ନଥିବାରୁ ବିଚାରପତି ବିରକ୍ତ ହୋଇଥିଲେ। ସେ ଏ ବି ଡି ଓ ଗଗନ ବେହେରାଙ୍କୁ ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ମାଗଣାରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ଅମାନ୍ୟ ହେଲେ ବ୍ଲକ ପ୍ରଶାସନକୁ ଜରିମାନା ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଏହା ସହ ପୂର୍ବତନ ପବ୍ଲିକ ଇନଫର୍ମେସନ ଅଫିସର (ପି ଆଇ ଓ) ଆକାଶ ପଣ୍ଡାଙ୍କୁ ଆକ୍ସନ ଟେକେନ୍ ନୋଟିସ୍‌ ଜାରି କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁର୍ନୀତି ବିରୋଧରେ ସମାଜସେବୀଙ୍କ ନିରନ୍ତର ସଂଘର୍ଷର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି। ପ୍ରଶାନ୍ତ କରଣଙ୍କ ଏହି ପ୍ରୟାସ ଅନ୍ୟମାନଙ୍କୁ ମଧ୍ୟ ସରକାରୀ ଯୋଜନାରେ ଅନିୟମିତତା ବିରୁଦ୍ଧରେ ସ୍ୱର ଉଠାଇବାକୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ