ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ପରିଷଦ
କଟକ, (ଓ୍ବାଇଏନଏସ): ଆଜି ସଭାପତି ପ୍ରଫେସର ଯୁଧିଷ୍ଠିର ସାହୁଙ୍କ ନେତୃତ୍ୱରେ ରେଭେନ୍ଶା ବିଶ୍ବବିଦ୍ୟାଳୟ ଶିକ୍ଷକ ପରିଷଦର କର୍ମକର୍ତ୍ତାମାନେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତାଙ୍କ ଅଫିସରେ ଏକ ସୌଜନ୍ୟମୂଳକ ସାକ୍ଷାତ କରି ବିଶ୍ୱବିଦ୍ୟାଳୟର ସାମ୍ପ୍ରତିକ ସ୍ଥିତି ବିଷୟରେ ଆଲୋଚନା କରିଥିଲେ ଓ ଏକ ସ୍ମାରକ ପତ୍ର ଦେଇଥିଲେ । ରେଭେନ୍ସାର ବିକାଶ ପାଇଁ ଏହି ପରିଷଦ ଅଙ୍ଗୀକାରବଦ୍ଧ ବୋଲି ଅଧ୍ୟାପକମାନେ ମନ୍ତୀଙ୍କୁ ଜଣାଇଥିଲେ ଲା ବିଶ୍ବବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଧିକ ହଷ୍ଟେଲର ଆବଶ୍ୟକତା ରହିଛି ବୋଲି ଶିକ୍ଷକ ପରିଷଦ ମନ୍ତ୍ରୀଙ୍କୁ ଜଣାଇଥିଲେ l ବିଶେଷକରି ଦ୍ବିତୀୟ କ୍ୟାମ୍ପସରେ ଅଧିକ ଛାତ୍ରବାସ, ଶ୍ରେଣୀ ଗୃହ, ଲାବୋରେଟୋରୀ ର ଆବଶ୍ୟକତା ବିଷୟରେ ପରିଷଦ ଏହାର ଦାବୀ ଜଣାଇଥିଲା l ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତିଯୋଗ୍ୟତା ବୃଦ୍ଧି ପାଇଁ ଶିଳ୍ପ ପ୍ରତିଷ୍ଠାନ ସହିତ ବିଶ୍ବବିଦ୍ୟାଳୟଗୁଡିକର ସହଭାଗୀତା ବୃଦ୍ଧି ଓ କ୍ୟାରିଅର ପ୍ଲେସମେଣ୍ଟ ପାଇଁ ସରକାରଙ୍କ ଉଦ୍ୟମ ଆବଶ୍ୟକ ବୋଲି ଶିକ୍ଷକ ପରିଷଦ ମତ ରଖିଥିଲେl ଛାତ୍ରଛାତ୍ରୀଙ୍କ ନିଯୁକ୍ତିଯୋଗ୍ୟତାକୁ ଆହୁରି ସୁଦୃଢ଼ କରିବା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା, କଂପୁଟର ବିଦ୍ୟା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମଧ୍ୟ RVSP ପ୍ରସ୍ତାବ ଦେଇଛି l ଅଧ୍ୟାପକ ପଦବୀ ସୃଷ୍ଟି କରିବା ସହିତ ପରୀକ୍ଷାଗାର, ଶ୍ରେଣୀଗୃହ, ଆସବାବପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇବାକୁ ପରିଷଦ ଅନୁରୋଧ କରିଛି। ଏଥି ସହିତ ଭାରତୀୟ ଜ୍ଞାନ କୌଶଳ ଓ ପରମ୍ପରା ବିଷୟ ରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଅଧ୍ୟାପକମାନେ ମତ ରଖିଥିଲେ। ଏହା ବ୍ୟତୀତ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମର ସୁପରିଚାଳନା, ନିୟୋଜିତ ଅଧ୍ୟାପକମାନଙ୍କ ପାରିଶ୍ରମିକ ସଂଶୋଧନ ସମ୍ପର୍କରେ ମଧ୍ୟ RVSP ଦାବୀ କରିଛି। ଓଡ଼ିଶାର ବିଶ୍ୱବିଦ୍ୟାଳୟ ଶିକ୍ଷକମାନଙ୍କ ଅବସର ଗ୍ରହଣ ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କରିବାକୁ RVSP ମନ୍ତୀଙ୍କୁ ଅନୁରୋଧ କରିଛି। UGCର ସୁପାରିଶ ଏବଂ ଦେଶର ଅନେକ ରାଜ୍ୟରେ ପ୍ରଚଳିତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯିବା ଉଚିତ ବୋଲି ପରିଷଦ ମତ ପ୍ରକାଶ କରିଛି। ଶିକ୍ଷକ ପରିଷଦ ପକ୍ଷରୁ ପ୍ରଫେସର ରଞ୍ଜନା ବାଜପାୟୀ, ପ୍ରଫେସର ବିକ୍ରମ କେଶରୀ ମିଶ୍ର, ପ୍ରଫେସର ଅଭିଷେକ ଶର୍ମା ଓ ପ୍ରଫେସର ମଲ୍ଲୀକାର୍ଜୁନ ମିଶ୍ର ଏହି ଆଲୋଚନାରେ ଭାଗ ନେଇଥିଲେ।


