ପତ୍ନୀ ହତ୍ୟା ମାମଲା : ୩୫ ବର୍ଷ ଜେଲ୍ ଦଣ୍ଡ ଭୋଗିବ ସ୍ୱାମୀ
କଟକ (ଓ୍ବାଇଏନଏସ): ପତ୍ନୀଙ୍କୁ ଛୁରି ଭୁସି ହତ୍ୟା କରିବା ସହ ଝିଅଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରି ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ମୁଖ୍ୟ ଆସାମୀ ସଞ୍ଜୀତ ଦାଶ ଓରଫ ବାଙ୍କକୁ ହାଇକୋର୍ଟ ଜୀବନଦାନ ଦେଇଛନ୍ତି । ହାଇକୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରି ନିମ୍ନ ଅଦାଲତଙ୍କ ରାୟରେ ସାମାନ୍ୟ କୋହଳ କରିଛନ୍ତି । ଯଦିଓ ଆସାମୀ ସାଂଘାତିକ ଅପରାଧ କରିଛି ତଥାପି ଏହା ‘କ୍ୱଚିତ୍ରୁ ଆହୁରି କ୍ୱଚିତ୍’ ଘଟଣା କୁହାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ତଥାପି ଆସାମୀକୁ ଅତି କମ୍ରେ ୩୫ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ କରିଛନ୍ତି । ୩୫ ବର୍ଷ ଜେଲ୍ଦଣ୍ଡ ପୂରଣ ନହେବା ପର୍ଯ୍ୟନ୍ତ ସେ ଖଲାସ ହେବା ଲାଗି ଆବେଦନ କରିପାରିବ ନାହିଁ । ଅପରପକ୍ଷରେ ହାଇକୋର୍ଟ ଏହି ମାମଲାରେ ଆସାମୀର ଦୁଇ ଛୋଟ ଝିଅଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥ ଦୁଇ ଝିଅଙ୍କ ନାଁରେ ଏକ ଜାତୀୟକରଣ ବ୍ୟାଙ୍କ୍ରେ ଜମା କରାଯିବ । ସେମାନେ ସାବାଳିକା ନହେବା ପର୍ଯ୍ୟନ୍ତ ଉକ୍ତ ଅର୍ଥକୁ ଉଠାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଆସାମୀ ସଞ୍ଜୀତ ଦାଶ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଏବଂ ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ଆସାମୀ ସଞ୍ଜୀତ ଦାଶ ବୈଦିକ ରୀତିରେ ସରସ୍ୱତୀ ଦାଶଙ୍କୁ ବିବାହ କରିଥିଲେ । ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳି ଲାଗୁଥିଲା । ଉଭୟ ଭୁବନେଶ୍ୱରରେ ରହୁଥିଲେ । ୨୦୨୨ ମସିହା ଜୁନ୍ ୯ ତାରିଖ ଦିନ ସଞ୍ଜୀତ ପତ୍ନୀ ସରସ୍ୱତୀଙ୍କୁ ଛୁରିରେ ଭୁସି ହତ୍ୟା କରିଥିଲା । ପାଖରେ ଥିବା ୬ବର୍ଷର ଝିଅକୁ ତଣ୍ଟିକାଟି ମାରିଦେବାକୁ ଉଦ୍ୟମ କରି ପରେ ସଞ୍ଜୀତ କେଉଁଆଡ଼େ ଫେରାର ହୋଇଯାଇଥିଲା । ସେତେବେଳକୁ ଉଭୟଙ୍କର ଆଉ ଗୋଟିଏ ୩ ଦିନର ଝିଅ ଥିଲା । ଏହି ଘଟଣା ଜାଣିବା ପରେ ସରସ୍ୱତୀଙ୍କ ଭାଇ ଶଶିକାନ୍ତ ଦାଶ ଭରତପୁର ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣି ଭୁବନେଶ୍ୱର ଦ୍ୱିତୀୟ ଅତିରିକ୍ତ ସେସନ୍ସ ଜଜ୍ଙ୍କ ଅଦାଲତରେ ହୋଇଥିଲା । ଅଦାଲତ ୨୦୨୪ ଜୁଲାଇ ୩୦ରେ ରାୟ ପ୍ରକାଶ କରି ଆସାମୀକୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ବିରୋଧରେ ଆସାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବେଳେ ରାଜ୍ୟ ସରକାର ଦଣ୍ଡାଦେଶ କାଏମ୍ ପାଇଁ ହାଇକୋର୍ଟକୁ ଅପିଲ୍ରେ ଆସିଥିଲେ । ଉଭୟପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାୟରେ କହିଛନ୍ତି ଯେ, ଆସାମୀ ଯେଉଁ କାଣ୍ଡ କରିଛି ତାହା ଜଘନ୍ୟ । ଏଥିରେ ଯଦିଓ ଫାଶୀଦଣ୍ଡାଦେଶ ଦିଆଯାଇଛି କିନ୍ତୁ ଏହା ସେହି ପର୍ଯ୍ୟାୟର ନୁହେଁ । କିନ୍ତୁ ଫାଶୀ ଦଣ୍ଡାଦେଶ ଯଦି ଦିଆନଯାଏ ତାହେଲେ ଆସାମୀକୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିବ । ଅନେକ ସମୟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଆସାମୀମାନେ ୧୪ ବର୍ଷ ଜେଲ୍ ଭୋଗିବା ପରେ ମୁକ୍ତ ହେବା ପାଇଁ ଆବେଦନ କରି ମୁକୁଳି ଯାଇଥାନ୍ତି କିନ୍ତୁ ଏ କ୍ଷେତ୍ରରେ ଆସାମୀକୁ ସର୍ବନିମ୍ନ ୩୫ ବର୍ଷ ଜେଲ୍ ଜୀବନ ଭୋଗିବାକୁ ପଡ଼ିବ । ଅର୍ଥାତ ଆସାମୀ ଜେଲ୍ରେ ୩୫ ବର୍ଷ ନ କଟାଇବା ପର୍ଯ୍ୟନ୍ତ ମୁକୁଳିବା ଲାଗି ଆବେଦନ କରିପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ମାମଲା ପରିଚାଳନାରେ ସହଯୋଗ ଲାଗି ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ପାର୍ଥ ସାରଥୀ ନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।


