ରେକି ସଶକ୍ତିକରଣ ଶିବିର ଅନୁଷ୍ଠିତ
ବାଲେଶ୍ବର(ସରୋଜ ପଣ୍ଡା): ରେକି ହିଲିଂ ରିସର୍ଚ୍ଚ ଫାଉଣ୍ଡେସନର ବାଲେଶ୍ୱର ଶାଖା ପକ୍ଷରୁ ରେକି ସଶକ୍ତିକରଣ ଶିବିର ସହିତ ଏକ ବନ୍ଧୁମିଳନ ଉତ୍ସବ ସାହାଦା ସ୍ଥିତ ଭିଂଟେଜ ଉଡ୍ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ପାଉଣ୍ଡେସନର ରାଜ୍ୟସ୍ତରୀୟ ଗ୍ରାଣ୍ଡମାଷ୍ଟର ପ୍ରଦୀପ ସାହୁ ଓ ମାମିନା ସାହୁ ଏଥିରେ ଯୋଗଦେଇ ରେକି ହିଲିଂର ବିଭିନ୍ନ ସକାରାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ । ଭାରତରେ ରେକି ହିଲିଂର ପ୍ରବର୍ତ୍ତକ ସ୍ୱର୍ଗତଃ ଡକ୍ଟର ମିକାଓ ଉସୁଇ ଜାପାନରୁ ଭାରତକୁ ଆସିବା ପରେ ସନାତନ ଧର୍ମର ଆଧ୍ୟାତ୍ମିକ ଦିଗ ପ୍ରତି ପ୍ରଭାବିତ ହୋଇ ୨୧ଦିନର ତପସ୍ୟା ପରେ ଏହି ବିକଳ୍ପ ଚିକିତ୍ସା ପଦ୍ଧତିକୁ ଲୋକଲୋଚନକୁ ଆଣିଥିଲେ ବୋଲି ଶ୍ରୀ ସାହୁ କହିଥିଲେ । ପ୍ରାକୃତିକ ଶକ୍ତି ମାଧ୍ୟମରେ ଉପଚାର ଓ ବିଜ୍ଞାନରେ ସମଗ୍ରତାବାଦ ଆଧାରିତ ଚିକିତ୍ସା ପଦ୍ଧତିରେ ରୋଗର ମୂଳ କାରଣ ନିବାରଣରେ ସଫଳତା ମିଳିଛି । ବ୍ୟାପକ ଜନସଚେତନତା ଦ୍ୱାରା ଏହି ଚିକିତ୍ସା ପ୍ରଣାଳୀ ଏକ ସମୃଦ୍ଧ ବିକଳ୍ପ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ଗ୍ରାଣ୍ଡମାଷ୍ଟର ଶ୍ରୀ ସାହୁ ଆଶା ପ୍ରକାଶ କରିଥିଲେ । ରେକି ମାଷ୍ଟର ସତ୍ୟଭାମା ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବରରେ ଅନ୍ୟତମ ରେକି ମାଷ୍ଟର ମମତା ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ରେକିଂ ଚିକିତ୍ସା ପ୍ରଣାଳୀର ପ୍ରତ୍ୟକ୍ଷ ଅନୁଭୂତି ପାଇଁ ସଂଖ୍ୟାଧିକ ବ୍ୟକ୍ତିଙ୍କ ରୋଗ ଉପଚାର ବିଧି ପ୍ରଦର୍ଶନ କରାଯାଇଥିଲା । ଭୂବନେଶ୍ୱରରୁ ମାଷ୍ଟର ହିଲର ଡକ୍ଟର ଜଗନ୍ନାଥ ପ୍ରସାଦ ମିଶ୍ର, ହିଲର ପ୍ରିୟତମା ଜେନା, ସୃତିରେଖା ପଟ୍ଟନାୟକ, ଚନ୍ଦନା ପଟ୍ଟନାୟକ, ହରପ୍ରିୟା ଗିରି ପ୍ରମୁଖ ଏହି ରେକି ହିଲିଂ ଚିକିତ୍ସା ପ୍ରଣାଳୀ ପ୍ରଦର୍ଶନରେ ସକ୍ରିୟ ସହଯୋଗ କରିଥିଲେ । ବାଲେଶ୍ୱର ସହର ତଥା ଆଖପାଖ ଅଂଚଳରୁ ବହୁ ବ୍ୟକ୍ତି ଏହି ଶିବିରରେ ଯୋଗ ଦେଇଥିଲେ ।


