ଛତ୍ରପୁର କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ବଣ୍ଟନ
ଛତ୍ରପୁର, (ଓ୍ବାଇଏନଏସ): ମାନବିକତାର ପରିଚୟ ଦେଇ ଛତ୍ରପୁର କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ ଶୁକ୍ରବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗ୍ରାମ ପଞ୍ଚାୟତର ପୋଟଲାମପୁର ଗ୍ରାମର ବନ୍ୟା ବିପନ୍ନ ତଥା ନିହାତି ଅସହାୟ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିସହ ଶୀତ ଋତୁକୁ ଦୃଷ୍ଟିରେ ରଖି ବିପନ୍ନ ପରିବାରଙ୍କୁ କମ୍ବଳ ମଧ୍ୟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ବିଭିନ୍ନ ଔଷଧ ଦୋକାନର ମାଲିକ ତଥା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ସଦସ୍ୟମାନେ ସାମିଲ ହୋଇ ଘରକୁ ଘର ବୁଲି ବିପନ୍ନ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ଓ କମ୍ବଳ ବଣ୍ଟନ କରିଥିଲେ। ସଂଘର ଏହି ମାନବିକତାପୂର୍ଣ୍ଣ ମହତ୍ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିବା ସହ ଏହାଦ୍ୱାରା ବହୁ ଅସହାୟ ପରିବାର ଉପକୃତ ହୋଇଥିବା ଜଣାପଡ଼ିଛି।


