ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ସମୀକ୍ଷା ବୈଠକ
କନ୍ଧମାଳ : ଫୁଲବାଣୀ ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ସମ୍ପର୍କରେ ଶନିବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡା. ସନ୍ତୋଷ କୁମାର ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଚିକିତ୍ସା ସେବାର ଉନ୍ନତି ପାଇଁ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଜେରିଏଟ୍ରିକ (ବରିଷ୍ଠ ନାଗରିକ) ୱାର୍ଡ ଖୋଲିବା, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା, ହୃଦରୋଗୀଙ୍କ ପାଇଁ ମାସକୁ ଅନ୍ୟୁନ ଦୁଇଦିନ ବିଶେଷଜ୍ଞ ଡାକ୍ତରଙ୍କ ସେବା ଉପଲବ୍ଧ କରାଇବା ଏବଂ ବିଭିନ୍ନ ୱାର୍ଡରେ ବାତାନୁକୂଳିତ ବ୍ୟବସ୍ଥା କରିବା ଆଦି ସାମିଲ ଥିଲା। ଡା. ପାଢ଼ୀ ଉପସ୍ଥାପିତ ସମସ୍ତ ପ୍ରସ୍ତାବ ଓ ଦାବିକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଥର ପାଇଁ ମ୍ୟୁଜିକ୍ ଥେରାପି, ଅଖଣ୍ଡ ଦୀପ ପ୍ରଜ୍ୱଳନ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଅଖଣ୍ଡ ଦୀପକୁ ସବୁଦିନ ପ୍ରଜ୍ୱଳିତ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଡା. ପାଢ଼ୀ। ବୈଠକରେ ବରିଷ୍ଠ ଆଇନଜୀବୀ ଅଶୋକ ବେହେରା, ବିଜୟକୃଷ୍ଣ ପଟ୍ଟନାୟକ, ପ୍ରତାପ ପାତ୍ର, ବରିଷ୍ଠ ନାଗରିକ ସର୍ବେଶ୍ୱର ମିଶ୍ର, ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ବେହେରାଙ୍କ ସମେତ ବହୁ ସମାଜସେବୀ ଉପସ୍ଥିତ ଥିଲେ।


