ରଥ ଟାଣିଲେ ଶ୍ରଦ୍ଧାଳୁ ଭକ୍ତ, ଜୟ ଜଗନ୍ନାଥ ଧ୍ୱନୀରେ ସାହିବସ୍ତି ପ୍ରକମ୍ପିତ

ଆସିକା (ୱାଇଏନ୍‍ଏସ୍‍): ଆସିକା ପୌର ପରିଷଦ ଅଧୀନସ୍ଥ ବଜାର ସାହି ଆଡପ ମଣ୍ଡପରେ ପୂଜା ପାଇଆସିଥିବା ଦାରୁଦିଅଁଙ୍କ ପବିତ୍ର ବାହୁଡା ଯାତ୍ରା ରବିବାର ଅପରାହ୍ନରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ରବିବାର ଭୋର ସମୟରୁ ବଜାର ସାହି ଆଡପ ମଣ୍ଡପରେ ଦିନତମାମ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା । ନବଦିନାତ୍ମକ ଘୋଷଯାତ୍ରା ଶେଷ କରି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ବାହୁଡା ଯାତ୍ରାରେ ବାହାରିଥିବା ବେଳେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏହି ବାହୁଡା ଯାତ୍ରା ଦେଖିବା ଲାଗି ଶ୍ରଦ୍ଧାଳୁୁ ଭକ୍ତଙ୍କ ଭିଡ ଜମିଥିଲା । ବାହୁଡା ଯାତ୍ରାରେ ଶ୍ରୀ ବିଗ୍ରହଙ୍କ ଚିତ୍ତାକର୍ଷକ ପହଣ୍ଡି ଦର୍ଶନ ଓ ରଥଟାଣିବା ଲାଗି ପ୍ରତିକୂଳ ପାଗ ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନେ ବଜାର ସାହି ଆଡପମଣ୍ଡପ ନିକଟରେ ରୁଣ୍ଡ ହୋଇଥିଲେ । ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ଆସିକା ଅଞ୍ଚଳର ବଜାର ସାହି, ହାଟପଦା ଛକ, ସୁବର୍ଣ୍ଣପେଟା ସାହି, ନିରଞ୍ଜନ ନଗର, ଲାଲାଗୋର୍ଜି ଛକ ଅଞ୍ଚଳର ଆଧ୍ୟାତ୍ମିକ ପରିବେଶକୁ ବହୁଗୁଣରେ ବୃଦ୍ଧି କରିଥିଲା ବେଳେ ଜୟଜଗନ୍ନାଥ ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇ ପଡିଥିଲା । ବାହୁଡା ଯାତ୍ରା ଅବସରରେ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରି ଭକ୍ତ ବିମୋହିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ୬ ନମ୍ବର ୱାର୍ଡର ସାନ ମୁନିସାହି ସ୍ଥିତ ଜଗନ୍ନାଥ ମନ୍ଦିରରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଚତୁର୍ଦ୍ଧା ବିଗ୍ରହଙ୍କ ପବିତ୍ର ବାହୁଡା ଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପନ୍ନ ହୋଇଥିବା ଦେଖିବାକୁ ମିଳିଥିଲା । ସାନମୁନି ସାହି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ଟି.ରଘୁନାଥ ପାତ୍ର, କୈଳାଶ ସାହୁ, ଟି.ରାଜେଶ୍ୱର ପାତ୍ର, ଟି.ସୁରେଶ କୁମାର ପାତ୍ର, ପି.ରବିନ୍ଦ୍ରନାଥ ପାତ୍ର, ପି.ପ୍ରଭାକର ପାତ୍ର, ଅନିଲ୍‍ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବାହୁଡାଯାତ୍ରାକୁ ସୁପରିଚାଳନା କରିବା ଦିଗରେ ମନ୍ଦିର ପୂଜକ ପ୍ରକାଶ ମହାନ୍ତି, ଅଧ୍ୟାତ୍ମିକପ୍ରେମୀ ଜିତେନ୍ଦ୍ର କୁମାର ମହାରଣା, ତାରିଣୀ ଆଚାରୀ, ସଂଜୟ ଆଚାରୀ, ପି.ଶୁଭମ୍‍ ପାତ୍ର, ଦୀପୁ ମହାନ୍ତି, ସତୀଶ୍‍ ଆଚାରୀ, ଜଗା ମହାରଣା, ସନ୍ମୁଖ୍‍ ଆଚାରୀ, ବିଶ୍ୱଜିତ୍‍ ମହାରଣା ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ବଜାର ସାହି ଆଡପ ମଣ୍ଡପରେ ପୂଜା ପାଉଥିବା ଭାବବିନୋଦିଆ ରଥାରୁଢ ଠାକୁରଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ ମୁଖ୍ୟରାସ୍ତାରେ ଟାଣିଟାଣି ନେଉଥିବା ବେଳେ ବେଶ ଉତ୍ସାହିତ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା । ବାହୁଡା ଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରୁ କିଏ ନଡିଆ ବାଡାଉଥିଲା ତ ଅନ୍ୟ କିଏ ହାତ ଉପରକୁ ଟେକି ଆଶିଷ କାମନା କରୁଥିବା ଦେଖିବାକୁ ମିଳୁଥିଲା । ଦାରୁବିଗ୍ରହମାନେ ନବଦିନାତ୍ମକ ଯାତ୍ରା ସାରି ବଜାର ସାହି ଆଡପ ମଣ୍ଡପରୁ ସାନମୁନି ସାହି ସ୍ଥିତ ନିଜସ୍ୱ ମନ୍ଦିର ଅଭିମୁଖେ ରବିବାର ଅପରାହ୍ନରେ ବାହୁଡା ଯାତ୍ରାରେ ବାହାରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ