ଜନଗଣନା-୨୦୨୭ ସମ୍ବନ୍ଧରେ ସମୀକ୍ଷା ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା): ଜନଗଣନା–୨୦୨୭ ସମ୍ବନ୍ଧରେ ପ୍ରାରମ୍ଭିକ ତାଲିମ ଓ ସମୀକ୍ଷା ବୈଠକ ଗତ ୪ ଫେବୃଆରୀ ୨୦୨୬ ତାରିଖରେ ବାଲେଶ୍ୱର ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ଅଡିଟୋରିୟମ୍ ହଲ୍‌ରେ ଅନୁଷ୍ଠିତ ହୋଇଯାଇଥିଲା। ବୈଠକର ଅଧ୍ୟକ୍ଷତା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାଏକ କରିଥିଲେ। ସେ ଜିଲ୍ଲାର ନୋଡାଲ ଅଧିକାରୀ ମଧ୍ୟ। ଏହି ବୈଠକରେ ଉପଜିଲ୍ଲାପାଳ, ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ଡେପୁଟି ଜିଲ୍ଲାପାଳ (ସାଧାରଣ ଓ ବିବିଧ), ସମସ୍ତ ପୌରପାଳିକା ଓ ଏନ୍ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ସହିତ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ବାଲେଶ୍ୱର ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ତାଙ୍କ ପରାମର୍ଶକ୍ରମେ ଜିଲ୍ଲା ନୋଡାଲ୍ ଅଫିସର (ଜନଗଣନା) “ଜନଗଣନା–୨୦୨୭ର ପରିଚୟ ଓ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ” ବିଷୟରେ ଏକ ବିସ୍ତୃତ ପାୱରପଏଣ୍ଟ ଉପସ୍ଥାପନା ପ୍ରଦାନ କରିଥିଲେ। ଏହି ଉପସ୍ଥାପନାରେ ଜନଗଣନା–୨୦୨୭ର ଉଦ୍ଦେଶ୍ୟ, ଏହାର ଗୁରୁତ୍ୱ ଏବଂ ଜିଲ୍ଲା ଓ କ୍ଷେତ୍ରସ୍ତରରେ ଗ୍ରହଣୀୟ ବିଭିନ୍ନ ପ୍ରସ୍ତୁତିମୂଳକ ପଦକ୍ଷେପ ସମ୍ପର୍କରେ ସବିସ୍ତାର ଆଲୋଚନା କରାଯାଇଥିଲା। ଉପସ୍ଥାପନା ସମୟରେ ଅତିରିକ୍ତ ଜିଲ୍ଲାପାଳ  ଶ୍ରୀ ନାଏକ ପ୍ରତ୍ୟେକ ସ୍ଲାଇଡ୍ ପରେ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶ୍ନ ପଚାରିବା ଓ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ। ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ତ ସନ୍ଦେହ ଓ ପ୍ରଶ୍ନର ସନ୍ତୋଷଜନକ ସ୍ପଷ୍ଟୀକରଣ ଜିଲ୍ଲା ନୋଡାଲ୍ ଅଫିସର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶନାରେ ପ୍ରଦାନ କରିଥିଲେ। ବୈଠକରେ ଶ୍ରୀ ନାଏକ  ସମୟାନୁବର୍ତ୍ତୀ ପ୍ରସ୍ତୁତି, ସମସ୍ତ ସଂପୃକ୍ତ ବିଭାଗମାନଙ୍କ ମଧ୍ୟରେ ସଠିକ୍ ସମନ୍ୱୟ ଏବଂ ଜନଗଣନା ସମ୍ବନ୍ଧୀୟ ଦାୟିତ୍ୱ ପ୍ରତି ସମସ୍ତ ଅଧିକାରୀଙ୍କର ସଠିକ୍ ବୁଝାମଣା ଅତ୍ୟନ୍ତ ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ। ପରିଶେଷରେ ଅଧ୍ୟକ୍ଷ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ ବୈଠକ ସମାପ୍ତ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ