ନୌସେନାର ମିଳିତ ସମରାଭ୍ୟାସ ଶତ୍ରୁକୁ ଜବାବ ଦେବ ସାଗର କବଚ-୨

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଶତ୍ରୁ ସଂହାର କରିବା ସହ ଆତଙ୍କବାଦୀଙ୍କୁ ପ୍ରବେଶ ନ କରାଇବା ପାଇଁ ନୌସେନାର ଅଭିନବ ଉପାୟ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ “ସାଗର କବଚ-୨” ବୁଧବାର ସକାଳ ୬ଟାରୁ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ଯାଏଁ ଏହା ଚାଲିବ। ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ପ୍ରତିବର୍ଷ ଦୁଇ ଥର ଏହି ଅଭ୍ୟାସ କରାଯାଏ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଭାରତ ଦୋହଲିଯିବା ପରେ ଉପକୂଳ ସୁରକ୍ଷାକୁ ଅଧିକ କଡାକଡି କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ବି ଆୟୋଜିତ ହୋଇଛି ଏହି ଅଭ୍ୟାସ।
ଅସ୍ତରଙ୍ଗ ବ୍ଲକର ନୂଆଗଡ, କାଳିଆକଣ, ସହନ, ସୁଦିକେଶର, ଗୁଣ୍ଡଳବା ଉପକୂଳରେ ନୌସେନା ଓ ପୋଲିସର ରଣକୌଶଳ ପ୍ରଦର୍ଶନ କରାଯାଉଛି। ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଏହାର ମୂଳ ଲକ୍ଷ୍ୟ। ଏଥିରେ ଭାରତୀୟ ତଟରକ୍ଷୀ ବାହିନୀ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, ଅସ୍ତରଙ୍ଗ ପୋଲିସ ସହ ବିଭିନ୍ନ ଥାନା ପୋଲିସ ସାମିଲ ହୋଇଛନ୍ତି। ଏହି ଅଭ୍ୟାସ ପାଇଁ ବ୍ଲୁ ଓ ରେଡ୍ ଦୁଇଟି ଟିମ୍ କରାଯାଇଛି। ବ୍ଲୁ ବାହିନୀ ଉପକୂଳ ଜଗିବେ, ରେଡ୍ ବାହିନୀ ଶତ୍ରୁ ପକ୍ଷ ହୋଇ ଦୂର ସମୁଦ୍ରରୁ ଆକ୍ରମଣ କରିବାର ନାଟକ କରିବେ। ଜଳପଥ ଦେଇ ଶତ୍ରୁ କେମିତି ପଶିନଯିବେ ସେ ନେଇ ସମସ୍ତ ବିଭାଗକୁ ସଚେତନ କରିବା ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମକୁ ପୁରୀ ଅତିରିକ୍ତ ଏସପି ସଚିନ ପଟେଲ ପ୍ରତ୍ୟୁଷରୁ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ସହ ନୂଆଗଡ ସାମୁଦ୍ରିକ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା, ପ୍ରକାଶ ଦାଶ, ବିପ୍ର ସ୍ୱାଇଁ, ଯୁଧିଷ୍ଠିର ସାହୁ, ହାପି ମାଝୀ,ବିଶ୍ୱ ପ୍ରକାଶ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ