ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ବିଶ୍ୱକର୍ମା ପୂଜା ମାନେ ଯନ୍ତ୍ର ଓ ମେସିନର ପୂଜା। ଆଜି ସବୁ କାରଖାନା, ଗ୍ୟାରେଜରେ ମେସିନକୁ ସିନ୍ଦୁର ଲାଗୁଛି। ହେଲେ ଆଜି ଆମେ ଆପଣଙ୍କୁ ଯନ୍ତ୍ର ନୁହେଁ, ଯନ୍ତ୍ର ପଛର ମଣିଷର କାହାଣୀ କହିବୁ। ଯେଉଁ କାହାଣୀ ଶୁଣିଲେ ଆଖିରୁ ଲୁହ ବାହାରିବ, ମନରେ ସାହସ ଆସିବ। ପୁରୀ ଜିଲ୍ଲା କାକଟପୁର ବଜାର ପାଖ ଗଳିରେ ରହୁଛନ୍ତି ଜଣେ ବିଶ୍ୱକର୍ମା। ତାଙ୍କ ଦୁଇ ଗୋଡ଼ ଜନ୍ମରୁ ଅଚଳ। ସେ କେବେ ନିଜ ଗୋଡ଼ରେ ଠିଆ ହୋଇନାହାନ୍ତି, ଚାଲି ନାହାନ୍ତି। ପ୍ରଥମ ଦେଖାରେ ଲୋକେ ଦୟା କରନ୍ତି, ହେଲେ ତାଙ୍କ ପାଖକୁ ଗଲା ପରେ ସେ ଦୟା ସମ୍ମାନରେ ବଦଳି ଯାଏ। କାରଣ ସେ ଯେମିତି ଶୁଖିଲା କାଠ ଉପରେ ଛେଣୀ ଚଲାନ୍ତି, ମରା କାଠରୁ ଜୀବନ୍ତ ଭଗବାନ ହସି ଉଠନ୍ତି। ସେ ହେଉଛନ୍ତି ତ୍ରିଲୋଚନ ଓଝା। ବୟସ ୪୨ ବର୍ଷ। ମୂଳ ଘର ଯାଜପୁର ଜିଲ୍ଲାରେ। ପେଟ ପାଟଣା ପାଇଁ ପରିବାର ସହ ଗତ ୧୬ ବର୍ଷ ତଳେ କାକଟପୁରକୁ ଆସି ଏହାକୁ କର୍ମଭୂମି କରିଛନ୍ତି। ଗତ ୨୦ ବର୍ଷ ହେଲା କାଠ କାମକୁ ସେ ତପସ୍ୟା କରିଛନ୍ତି। ତାଙ୍କ ହାତରେ ଯାଦୁ ଅଛି। କବାଟ, ଖଟ, ପାଲିଙ୍କିରେ ତାଙ୍କ ସୂକ୍ଷ୍ମ ଡାଳି କାମ ଏମିତି ନିଖୁଣ ଯେ ବଡ ବଡ ମେସିନ ବି ହାରିଯିବ। ସେ କାଠରେ ଗଢୁଛନ୍ତି ଜଗନ୍ନାଥ, ରାଧାକୃଷ୍ଣ, ଲକ୍ଷ୍ମୀ, ଶିବ ଓ ଖୋଦ୍ ବିଶ୍ୱକର୍ମାଙ୍କ ମୂର୍ତ୍ତି। ଆଜି କାକଟପୁର, ଅସ୍ତରଙ୍ଗ ଅଞ୍ଚଳରେ ତାଙ୍କ ନାଁ ହିଁ ବ୍ରାଣ୍ଡ।କେବେ ଭିକ୍ଷା ମାଗିନାହାନ୍ତି। ସରକାରୀ ସହାୟତା କହିଲେ କେବଳ ସାମାନ୍ୟ ଭତ୍ତା। ତଥାପି ସ୍ୱାଭିମାନରେ ବଞ୍ଚିଛନ୍ତି। ସେ ଗର୍ବରେ କୁହନ୍ତି ମୁଁ ଦିବ୍ୟାଙ୍ଗ ନୁହେଁ, ମୋ ଗୋଡ଼ ଦିବ୍ୟାଙ୍ଗ। ଭଗବାନ ଗୋଡ଼ ନେଲେ ସତ, ହେଲେ ହାତରେ ବିଶ୍ୱକର୍ମାଙ୍କୁ ଦେଇଛନ୍ତି। ଆଜିର ଯୁବକ ସୁସ୍ଥ ଦେହ ଥାଇ ଚାକିରି ନାହିଁ ବୋଲି ହତାଶ ହୋଇ ମୋବାଇଲ ଧରି ବସିଛି। ଆଉ ତ୍ରିଲୋଚନ ତଳେ ବସି ପରିବାର ପୋଷୁଛନ୍ତି ହଜାର ଲୋକଙ୍କୁ ପ୍ରେରଣା ଦେଉଛନ୍ତି। ତାଙ୍କ ବାର୍ତା ହାତ ଥିଲେ ହାତ ପାତନ୍ତୁ ନାହିଁ, ହାତରେ ଭାଗ୍ୟ ଗଢନ୍ତୁ।ଏହା ହିଁ ପ୍ରକୃତ ବିଶ୍ୱକର୍ମା ପୂଜା।


