ଖଣି ବିଭାଗ ଓ ପୋଲିସର ଚଢ଼ାଉରେ ବାଲି ମାଫିଆ ଛାନିଆ
ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲା ବୈତରଣୀ ନଦୀ କୂଳରେ ବେଆଇନ ବାଲିଘାଟ ଉପରେ ଖଣି ବିଭାଗ ଓ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉରେ ବାଲି ମାଫିଆ ଛାନିଆ ହୋଇ ପଡିଛନ୍ତି। ବିନା ଟିପି ରେ ବାଲି ପରିବହନ ବେଳେ ଖଣି ବିଭାଗ କି ପୋଲିସ ଗାଡି ଦେଖି ଦୁଇ ତିନି ଲକ୍ଷ ଫାଇନ ଦେବା ଭୟରେ ପଛେ ୧୦ହଜାର ଯାଉ ତରବରିଆ ଭାବେ ରାସ୍ତାରେ ବାଲି ଢାଳିଦେଇ ଛୁ ମାରୁଛନ୍ତି। ଯାହାଦ୍ୱାରା ଯାତାୟାତ କ୍ଷେତ୍ରରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଗତକାଲି ରାତିରେ ଖଣି ବିଭାଗ ଚଢ଼ାଉ ଦେଖି ଆନନ୍ଦପୁର ଭଦ୍ରକ ରାସ୍ତାର ବେତିରା ଗାଁ ନିକଟରେ ରାସ୍ତା ମଝିରେ ଗୋଟିଏ ହାଇୱା ଟ୍ରିପଯାକ ବାଲି ଢାଳିଦେଇ ଯିବାରୁ ଅନେକ ଲୋକ ବାଲି କାଣ୍ଡି ଉପରେ ପଡି ଦୁର୍ଘଟଣାର ଶିକାର ହୋଇଛନ୍ତି। ସେହିପରି ରମ୍ପାସ ନିକଟରେ ରାସ୍ତାରେ ପୋଲିସ ଚଢ଼ାଉ ବେଳେ ରାସ୍ତା ଉପରେ ଟ୍ରିପ ଟ୍ରିପ ଢାଳିଦେଇ ଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବାଲି ଚାଲାଣ କରାଯାଉଥିବା ବେଳେ ବିଭିନ୍ନ ଛକ ଗୁଡିକରେ ମୋଟା ଅଙ୍କର ଚାନ୍ଦା ଆଦାୟ ହେବା ସହିତ ଅସାମାଜିକଙ୍କ ଆଡାସ୍ଥଳ ପାଲଟିଥିଲା। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ବାରମ୍ବାର ଅଭିଯୋଗ ହେଉଥିଲା। ପୁଲିସ ଓ ଖଣି ବିଭାଗ ସକ୍ରିୟ ହୋଇ ପଡିଥିବା ବେଳେ ବେଆଇନ ବାଲି ଘାଟ ବନ୍ଦ କରିବାରେ ପ୍ରଶାସନ କିଛିକାଂଶରେ ସଫଳ ହୋଇଛି। ତେବେ କିଛି ଅସାଧୁ ବ୍ୟବସାୟୀ ଏଥ୍ପ୍ରତି ଗୁରୁତ୍ବ ନ ଦେଇ ବାଲି ଚୋରାଚାଲାଣ ଜାରି ରଖିଥିବାରୁ ପୁଲିସ କିଛି ଅସାଧୁ ବାଲି ବ୍ୟବସାୟୀଙ୍କ ନାମରେ ମାମଲା ରୁଜୁ କରିଥିଲା। ବିଭିନ୍ନ ଅଞ୍ଚଳକୁ ଗାଡ଼ି ଯୋଗାଇ ଦେଇ ଚୋରା ବାଲି ଚାଲାଣ କରୁଥିବା ୯ ଜଣଙ୍କ ନାମରେ ମାମଲା ରୁଜ୍ମ କରିବା ସହିତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଯାହା ଫଳରେ ବାଲି ମାଫିଆ ମାନେ ଭୟଭୀତ ହୋଇ ଚୋରା ଚାଲାଣ କୁ ବନ୍ଦ କରିଦେଇ ଛନ୍ତି। ବର୍ତ୍ତମାନ ସୁଧା କେବଳ ନନ୍ଦିପଦା ଥାନା ଅଞ୍ଚଳରେ ପୋଲିସ ଓ ଖଣି ବିଭାଗ ୪୦ ରୁ ଉର୍ଦ୍ଧ ଗାଡି ଜବଦ କରି ସେଗୁଡିକ ବିରୁଦ୍ଧରେ ମାମଲା ରୁଜୁ କରିଛି।


