ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପରିବେଶର ସୁରକ୍ଷା ଲାଗି ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷାନୁୁଷ୍ଠାନର ଜାତୀୟ ସବୁଜ ବାହିନୀ (ଇକୋ କ୍ଳବ) ପକ୍ଷରୁ ଶନିବାର ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଣ୍ଟାପଡା ସ୍ଥିତ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ର ସଂଯୋଜକ ତଥା ଶିକ୍ଷକ ଗୋବିନ୍ଦ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଥିବା ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ବନରକ୍ଷୀ ମୋହନଚାନ୍ଦ ପ୍ରଧାନ, ଶିକ୍ଷାନୁଷ୍ଠାନର ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ରଶ୍ମିତା ମହାପାତ୍ର, ପାଣ୍ଡବେଶ୍ୱର ଜେନା, ଶଶୀଭୂଷଣ ସାହୁ, ପାଣ୍ଡବ ଗୌଡ ପ୍ରମୁଖ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଜଙ୍ଗଲ ଓ ପ୍ରକୃତି ସୁରକ୍ଷା, ଚାରା ରୋପଣର ଆବଶ୍ୟକତା, ଗଛ ଲଗାଇବା ଓ ତାର ଯତ୍ନ ନେବା, ବୃକ୍ଷର ମାନବ ସମାଜ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ପରିବେଶକୁ ସବୁଜ ବନାନୀରେ ପରିଣତ କରିବା ନିମନ୍ତେ କରଂଜ, କଦମ୍ବ, ନୀଳଗିରି, ବାଦାମ୍, କୃଷ୍ଣଚୁଡା, ଅଁଳା, ଆକାଶିଆ, ନିମ୍ବ ସମେତ ବିଭିନ୍ନ କିସମର ଔଷଧିୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା ବେଳେ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରା ରୋପଣ କରି ସେଗୁଡିକ ଯେପରି ବଞ୍ଚି ରହିପାରିବ ସେ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଥିଲା । ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମେଗା ଚାରାରୋପଣ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନା ପ୍ରମୁଖ ସହଯୋଗ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ସଚେତନ ନାଗରିକ, ପରିବେଶବିତ୍, ଗ୍ରାମବାସୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବନ ମହୋତ୍ସବ ପାଳନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଆଭିମୁଖ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ କିପରି ମାନବ ସମାଜ ପାଇଁ ଅପରିହାର୍ଯ୍ୟ ତାହାରି ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରି ପରିବେଶ ନଷ୍ଟ ଯୋଗୁଁ ଜଳବାୟୁ ପରିବର୍ତ୍ତନ ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଘଟିବାରେ ଲାଗିଛି, ତେଣୁ ବହୁଳ ଭାବରେ ବୃକ୍ଷରୋପଣ କରି ପରିବେଶର ସନ୍ତୁଳନ ରକ୍ଷା କରିବା, ସବୁଜ ବଳୟ ବୃଦ୍ଧି କରିବା, ମୃତ୍ତିକା କ୍ଷୟ ରୋକିବା ଉପରେ ସମସ୍ତେ ଯତ୍ନବାନ୍ ହେବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା ।


