ଟ୍ରକ୍କୁ ପଛରୁ ପିଟି ଓଲଟିଲା ସ୍କର୍ପିଓ, ୪ ଆହତ
କଟକ, (ଓ୍ବାଇଏନଏସ) : କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ୫୫ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଖୁଣ୍ଟୁଣୀ ଥାନା ନିକଟସ୍ଥ ଟୋଲ୍ ଗେଟ୍ ପାଖରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ପଛରେ ଧକ୍କା ଦେବା ପରେ ଏକ ସ୍କର୍ପିଓ ଗାଡ଼ି ରାସ୍ତା ଉପରେ ଓଲଟି ପଡ଼ିଥିଲା।ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁଯାୟୀ, ସ୍କର୍ପିଓଟି ବାଲେଶ୍ୱରରୁ ଅନୁଗୁଳ ଅଭିମୁଖେ ଫେରୁଥିବା ବେଳେ ଖୁଣ୍ଟୁଣୀ ଟୋଲ୍ ଗେଟ୍ ନିକଟରେ ଆଗରେ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଥିଲା। ଧକ୍କା ପରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଏଥିରେ ଗାଡ଼ିରେ ଥିବା ଚାରି ଜଣ ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଖୁଣ୍ଟୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା।ତେବେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପରବର୍ତ୍ତୀ ଚିକିତ୍ସା ନିମନ୍ତେ କଟକ ପଠାଯାଇଛି। ଆହତ ସମସ୍ତେ ଅନୁଗୁଳ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।ଅନ୍ୟପକ୍ଷରେ, ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ସେନେଇ ଖୁଣ୍ଟୁଣୀ ପୁଲିସ ତଦନ୍ତ ଜାରି ରଖିଛି।


