ଗୁରୁକୁଳମର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ହାଟଡିହି (ଓ୍ବାଇଏନଏସ): ମୁଗୁପୁର ସ୍ଥିତ ଆଚାର୍ଯ୍ୟ ଦୈତ୍ୟାରୀ ଗୁରୁକୁଳମର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ଦୈତ୍ୟାରୀ ଓଝା ଓ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯିବା ସହିତ ଗୁରୁ ପୂଜନ ଓ ଗୁରୁବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଅଧ୍ୟକ୍ଷା ଶୁଶ୍ରୀ ଜୟନ୍ତୀ କୁମାରୀ ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜଳ ମଣିଷ ପଦ୍ମଶ୍ରୀ ଦୈତାରୀ ନାୟକ, ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ଡ଼ ରାମଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସ୍ୱତନ୍ତ୍ର ବକ୍ତା ଭାବେ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଶିବ ପ୍ରସାଦ ଚାନ୍ଦ, ଶିକ୍ଷାବିତ ଗୋଲେକ ବିହାରୀ ଜେନା, ଗିରିଧାରୀ ପାତ୍ର ପ୍ରମୁଖ ଯୋଗଦେଇ ଆଚାର୍ଯ୍ୟ ଦୈତ୍ୟାରୀ ଗୁରୁକୁଳମ ଏ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଆଲୋକ ବର୍ତ୍ତିକା ସାଜିଛି ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷା ସହିତ ସଂସ୍କାର ର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ବୈଦିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ବୌଦ୍ଧିକ ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ସୁ ନାଗରିକ ଭାବେ ଗଢି ତୋଳିବା ଉପରେ ବିଦ୍ୟାଳୟ ସଂକଳ୍ପ ବଦ୍ଧ ବୋଲି ପ୍ରତିଷ୍ଠାତା ଜନ୍ମେଜୟ ଓଝା ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ର ମୁଖପତ୍ର ‘କଲ୍ଲୋଲିନୀ ବୈତରଣୀ’ କୁ ଅତିଥି ମାନେ ଉନ୍ମୋଚିତ କରିଥିଲେ। ଏହି ଅବସରରେ ଶିଶୁ ସାହିତ୍ୟିକ ରତ୍ନାକର ଦାସ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୫୭ ଖଣ୍ଡ ଶିଶୁ ସାହିତ୍ୟ ପୁସ୍ତକ ପ୍ରଦାନ କରିଥିଲେ। ପ୍ରଶାନ୍ତ କୁମାର ଦାସ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ରାଧାରାଣୀ ଓଝା, କାଳନ୍ଦୀ ଚରଣ ସାହୁ, ମଞ୍ଜୁଲତା ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସନାତନ ପଣ୍ଡା, ବିଦ୍ୟାଧର ଦାସଙ୍କୁ ମରଣୋତ୍ତର ଭାବେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିବାବେଳେ ଉପାଧ୍ୟକ୍ଷ ଶରତ କୁମାର ଯେନା ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳକ ମୃତ୍ୟୁଞ୍ଜୟ ଅଧିକାରୀ ଓ ସମସ୍ତ ଶିକ୍ଷକ ଶିକ୍ଷତାୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


