ଚୌଦ୍ୱାରରେ ଚାଞ୍ଚଲ୍ୟ: କେନାଲରୁ ୧୨ ବର୍ଷୀୟ ବାଳକର ମୃତଦେହ ଉଦ୍ଧାର
କଟକ, (ଓ୍ବାଇଏନଏସ): ଘରୁ ରାତିରେ ନିଖୋଜ ହୋଇଯାଇଥିବା ଜଣେ ୧୨ ବର୍ଷୀୟ ବାଳକର ମୃତଦେହ କେନାଲରୁ ଉଦ୍ଧାର ହେବା ପରେ ଚୌଦ୍ୱାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୋମବାର ସକାଳେ ଦେଉଳଚୁଆ ମୁଣ୍ଡାସାହି ନିକଟସ୍ଥ ହାଇଲେଭଲ୍ କେନାଲରୁ ବାଳକର ମୃତଦେହ ମିଳିଛି। ମୃତକ ହେଲେ କୁନା ହେମ୍ବ୍ରମ। ସେ କାହ୍ନୁ ହେମ୍ବ୍ରମଙ୍କ ପୁଅ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ଶନିବାର ରାତିରୁ କୁନା ନିଖୋଜ ଥିଲେ। ପରିବାର ପକ୍ଷରୁ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯିବା ସହ ଚୌଦ୍ୱାର ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ ମଧ୍ୟ କରାଯାଇଥିଲା। ଏହାପରେ ପୁଲିସ ଓ ପରିବାର ଲୋକେ ମିଳିତ ଭାବେ ତାଙ୍କୁ ଖୋଜୁଥିଲେ। ତେବେ ସୋମବାର ସକାଳେ କେନାଲ ନିକଟକୁ ଯାଇଥିବା ଜଣେ ସ୍ଥାନୀୟ ବ୍ୟକ୍ତି ପାଣିରେ ମୃତଦେହ ଭାସୁଥିବା ଦେଖି ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଚୌଦ୍ୱାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ମୃତଦେହ ଉଦ୍ଧାର କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି। ବାଳକର ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ପରିବାର ସଦସ୍ୟଙ୍କ ଆଶଙ୍କା ଅନୁଯାୟୀ, ପ୍ରାକୃତିକ କାର୍ଯ୍ୟ ପାଇଁ କେନାଲ ନିକଟକୁ ଯାଇଥିବା ସମୟରେ କୁନା ଅସାବଧାନତାବଶତଃ ପାଣିରେ ପଡ଼ିଯାଇଥାଇପାରନ୍ତି। ତେବେ ଏହା କେବଳ ପରିବାରର ଆଶଙ୍କା ହୋଇଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ମୃତ ବାଳକଙ୍କ ବାପା କାହ୍ନୁ ହେମ୍ବ୍ରମ କହିଛନ୍ତି ଯେ, ଶନିବାର ରାତିରେ କୁନା ଅସୁସ୍ଥ ଥିବାରୁ ଜ୍ୱର ପାଇଁ ଔଷଧ ଖାଇ ଶୋଇଥିଲା। ଅନ୍ୟ ପିଲାମାନଙ୍କ ସହ ଅଲଗା ଶୋଇଥିବା ବେଳେ ରାତି ପ୍ରାୟ ୧ଟାରୁ ୩ଟା ମଧ୍ୟରେ କୌଣସି ସମୟରେ ଘରୁ ଚାଲିଯାଇଥିଲା। ସକାଳେ ପୁଅକୁ ନପାଇ ଖୋଜାଖୋଜି କରିବା ସହ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁଯାୟୀ, ପାଖରେ ଶୋଇଥିବା ଅନ୍ୟ ଜଣେ ପିଲା ରାତି ପ୍ରାୟ ୩ଟାରୁ କୁନାକୁ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ପୁଅ କାହିଁକି ରାତିରେ ଘରୁ ବାହାରିଲା ଏବଂ କେମିତି କେନାଲରେ ପହଞ୍ଚିଲା, ସେ ସମ୍ପର୍କରେ ସେ କିଛି ଜାଣିନଥିବା କହିଛନ୍ତି। ଏଥିସହ ପୁଅର ମୃତ୍ୟୁ ପଛରେ କାହାରି ହାତ ଥିବା ନେଇ ତାଙ୍କର କୌଣସି ସନ୍ଦେହ ନଥିବା ମଧ୍ୟ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପୁଲିସ ପକ୍ଷରୁ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିବ ବୋଲି ଆଶା କରାଯାଉଛି।


