ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ପାଇଁ କାରଣଦର୍ଶାଅ ନୋଟିସ

କେନ୍ଦୁଝର,୨/୮: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମନ୍ଦ ଉଦ୍ଦେଶ୍ୟରେ ଛୁଟିଦିନରେ ଟିଉସନ କରିବା ବାହାନାରେ ଏ -୧ ରେ ପାସ କରାଇ ଦେବାର ପ୍ରଲୋଭନ ଦେଖାଇ ଅସଦାଚରଣ କରିଥିବା ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ପ୍ରଧାନଶିକ୍ଷକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ୨ ଦିନ ତଳେ ପ୍ରଧାନଶିକ୍ଷକ ଜାମିନରେ ଆସିଛନ୍ତି। ପ୍ରଧାନଶିକ୍ଷକଙ୍କୁ କାହିଁକି ବହିଷ୍କାର କରାନଯିବ ସେଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ କମିଟିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୁଲିସ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ସହ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଗତ ଶନିବାର ଦିନ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ଗତ ମେ ମାସ ୨୪ ତାରିଖରେ ହାଟଡ଼ିହି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀକଳା ମା’ ତାରିଣୀ ଠାକୁରାଣୀ ଉଚ୍ଚ ବିଦ୍ୟାଳୟର ଜନୈକ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ପାଣି ଦେବା ବାହାନାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗିରଥୀ କବି କାର୍ଯ୍ୟାଳୟକୁ ଡାକିଥିଲେ । ପରେ ଛାତ୍ରୀଙ୍କୁ ମାଟ୍ରିକ ପରୀକ୍ଷାରେ ଏ-ୱାନ୍ ଗ୍ରେଡ୍‌ରେ କୃତକାର୍ଯ୍ୟ କରାଇଦେବାର ପ୍ରଲୋଭନ ଦେଖାଇ ପ୍ରଧାନଶିକ୍ଷକ ଭାଗିରଥୀ କବି ଛାତ୍ରୀଙ୍କ ସହ ଅସଦାଚରଣ କରିବା ସହ ବଳାତ୍କାର  ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରକୁ ପଳାଇ ଆସିବା ସହ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହି ଘଟଣା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ନନ୍ଦିପଦା ଥାନାରେ ଲିଖୁତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିନଥିଲା। ପିଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ନନ୍ଦିପଦା ପୁଲିସ୍ ଏକ ମାମଲା (କେସ୍ ନଂ- ୧୪୬/୨୦୨୫) ରୁଜୁ କରିଥିଲା। ଏହି ଘଟଣାର ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ପୁଲିସ୍ ସୁରକ୍ଷା ଦେଉଥିବା ଅଭିଯୋଗ କରି ନନ୍ଦିପଦା ଥାନାଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଗୃହ ବିଭାଗଙ୍କୁ ସାମାଜିକ ଗଣ ମାଧ୍ୟମରେ ଜଣାଇବା ପରେ ଗୃହ ବିଭାଗ ତରଫରୁ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍ ମହାନିର୍ଦ୍ଦେଶକ ଓ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଘଟଣା ପରଠାରୁ ଅଭିଯୁକ୍ତ ପ୍ରଧାନୟଶିକ୍ଷକ ଫେରାର ଥିବାବେଳେ ଦୀର୍ଘ ଦେଢମାସ ପରେ ଗତ ଶନିବାର ନନ୍ଦିପଦା ପୁଲିସ୍ ଅଭିଯୁକ୍ତଙ୍କୁ ଯାଜପୁର ଟାଉନ୍ ଥାନା ଅଞ୍ଚଳରୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା। ଅପରପକ୍ଷରେ ଏହି ଘଟଣାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଓ ଥାନାରେ ଦିଆଯାଇଥିବା ଏତଲାକୁ ଭିଭି କରି ତଦନ୍ତ କରାଯାଇଥିଲା। କମିଟିର ସୁପାରିସ କ୍ରମେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରାଯିବା ସହ ତାଙ୍କୁ ଚାକିରିରୁ କାହିଁକି ବହିଷ୍କାର କରାନଯିବ ସେଥ‌ିପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧୂକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶିକ୍ଷା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଥାଉକି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସରକାରୀ ଶିକ୍ଷକମାନଙ୍କୁ ଟିଉସନ୍ କରିବା ନିମନ୍ତେ ମନା କରାଯାଇଥିବାବେଳେ ବିଦ୍ୟାଳୟ ପରିସରରେ ଛୁଟି ଦିନରେ କୋଟିଂ ନିମନ୍ତେ ପ୍ରଧାନଶିକ୍ଷକଙ୍କୁ କିଏ ଅନୁମତି ଦେଇଥିଲା ତାହାର ମଧ୍ଯ ତଦନ୍ତ କରାଯିବା ଆବଶ୍ୟକ।  ଏହି ଘଟଣା ପରଠାରୁ ଭୟରେ ଛାତ୍ରୀ ଜଣକ ବିଦ୍ୟାଳୟକୁ ଆସୁନଥିବା ଜଣାପଡ଼ିଛି। ଏଥିରେ ସମ୍ପୃକ୍ତ ଥିବା ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ର ସଭାପତି ପରମାନନ୍ଦ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ପାଇଛୁ, ସୋମବାର ଦିନ ନୋଟିସର ଉତ୍ତର ଦେବୁ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ